ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ: ୩ ମାସରେ ଖସିବ କରୋନା ଗ୍ରାଫ୍‌

0
581
୩ ମାସରେ ଖସିବ କରୋନା ଗ୍ରାଫ୍‌
୩ ମାସରେ ଖସିବ କରୋନା ଗ୍ରାଫ୍‌

ଦିଲ୍ଲୀ-ମୁମ୍ବାଇରେ ଖୁବ୍‌ ଶୀଘ୍ର ତୃତୀୟ ଲହର ଶୀର୍ଷ ଛୁଇଁବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ତୃତୀୟ ଲହରରେ ଆଜି ପ୍ରଥମ ଥର ପାଇଁ ନୂଆ ସଂକ୍ରମଣ ୧ ଲକ୍ଷ ୬୦ ହଜାର ଅତିକ୍ରମ କରିଛି। ସକ୍ରିୟ ମାମଲା ମଧ୍ୟ ପ୍ରାୟ ୬ ଲକ୍ଷରେ ପହଞ୍ଚିଥିବା ବେଳେ ସ୍ବାସ୍ଥ୍ୟ ବିଶେଷମାନେ ଆକଳନ କରିଛନ୍ତି ଯେ ଦେଶରେ ତୃତୀୟ ଲହର ଖୁବ୍‌ଶୀଘ୍ର ଶୀର୍ଷ ଛୁଇଁବ ଏବଂ ତିନି ମାସ ମଧ୍ୟରେ ଲହର ସଂପୂର୍ଣ୍ଣ ଶେଷ ହେବ। ଜାନୁଆରି ଶେଷ ସୁଦ୍ଧା ଦେଶରେ ତୃତୀୟ ଲହର ଶୀର୍ଷ ଛୁଇଁବ ଏବଂ ଦୈନିକ ସଂକ୍ରମଣ ୪ରୁ ୮ ଲକ୍ଷରେ ପହଞ୍ଚିବ ବୋଲି ଆଇଆଇଟି କାନପୁର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି। ମୁମ୍ବାଇ ଏବଂ ଦିଲ୍ଲୀରେ ତୃତୀୟ ଲହର ସଂକ୍ରମଣ ଆସନ୍ତା ସପ୍ତାହରେ ଶୀର୍ଷ ଛୁଇଁବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ସମୀରଣ ପଣ୍ଡା କହିଛନ୍ତି ଯେ ଦେଶରେ ସକ୍ରିୟ ମାମଲା ୩ ମାସରେ ସଂପୂର୍ଣ୍ଣ ଖସିଆସିବ ଏବଂ ତୃତୀୟ ଲହର ଶେଷ ହେବ। ତୃତୀୟ ଲହରର ଶୀର୍ଷ ଖୁବ୍‌ଶୀଘ୍ର ଆସିବାକୁ ଯାଉଥିବାରୁ ଏଥିପାଇଁ ସତର୍କ ରହିବାକୁ ହେବ ବୋଲି ସେ କହିଛନ୍ତି। ଓମିକ୍ରନ୍‌ର ୫୦ ପ୍ରତିଶତରୁ ଅଧିକ ମାମଲା ବଡ଼ ସହରରେ ଚିହ୍ନଟ ହେଉଛି ଏବଂ ତୃତୀୟ ଲହରରେ ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା ପୂର୍ବ ଲହର ତୁଳନାରେ ଯଥେଷ୍ଟ କମ୍‌ ରହିବ ବୋଲି ସେ କହିଛନ୍ତି।

କରୋନାର ଜାତୀୟ ବୈଷୟିକ ଉପଦେଷ୍ଟା ଗ୍ରୁପ୍‌ର ଅଧ୍ୟକ୍ଷ ଡାକ୍ତର ଏନ୍‌କେ ଆରରୋ ମଧ୍ୟ ତୃତୀୟ ଲହରର ଶୀର୍ଷକୁ ନେଇ ଏଭଳି ମତ ରଖିଛନ୍ତି। ଓମିକ୍ରନ୍‌ର ବୈଶ୍ବିକ ତଥ୍ୟ ଏବଂ ବିଗତ ୫ ସପ୍ତାହରେ ଏ ବାବଦ ଅଧ୍ୟୟନରୁ ଜଣାପଡ଼ିଛି ଯେ ଓମିକ୍ରନ୍‌ ସଂକ୍ରମଣ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ବହୁତ ସାଧାରଣ ଏବଂ ଲକ୍ଷଣ ବିହୀନ ରହିବ। ଏବେ ଓମିକ୍ରନ୍‌ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ୧-୨ ପ୍ରତିଶତ ରହିଛି। ପୂର୍ବରୁ ଡେଲ୍‌ଟା ଲହର ତୁଳନାରେ ଏହାର ପ୍ରଭାବ ଯଥେଷ୍ଟ୍‌ କମ୍‌ ରହିଥିବା ପ୍ରମାଣିତ ହୋଇସାରିଛି। ଡାକ୍ତର ଆରୋରା କହିଛନ୍ତି ଯେ ଦେଶରେ ୮୦ ପ୍ରତିଶତରୁ ଅଧିକ ଲୋକ ଭାଇରସ୍‌ ଦ୍ବାରା ସ୍ବାଭାବିକ ଭାବେ ସଂକ୍ରମିତ ହୋଇଛନ୍ତି । ୧୮ ବର୍ଷରୁ ଅଧିକ ଆୟୁ ବର୍ଗର ୯୧ ପ୍ରତିଶତରୁ ଅଧିକ ଲୋକ ଅତି କମ୍‌ରେ ଗୋଟିଏ ଡୋଜ୍‌ କୋଭିଡ୍‌ ଟିକା ନେଇସାରିଛନ୍ତି। ଏହା ସହିତ ୬୬ ପ୍ରତିଶତ ଲୋକ ସଂପୂର୍ଣ୍ଣ ଡୋଜ୍‌ ନେଇସାରିଛନ୍ତି। ତେଣୁ ତୃତୀୟ ଲହରର ପ୍ରଭାବ ଅଧିକ ଦିନ ରହିବ ‌ନାହିଁ ବୋଲି ସେ କହିଛନ୍ତି।

 

Also Read  President of India inaugurates integrated bio-solar-wind Microgrid centre and centre for water and environment research at IIEST, Shibpur