ହଟିବ ସବୁ କଟକଣା : ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ

0
684

ଲଣ୍ଡନ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବ୍ରିଟେନରେ ସ୍ଥିତି ପୁଣି ସ୍ୱାଭାବିକ ହୋଇଛି। ସଂକ୍ରମଣ ହ୍ରାସ ପାଉଥିବାରୁ ବ୍ରିଟେନ ସରକାର ବୁଧବାର ଦେଶରେ ଲାଗୁ ହୋଇଥିବା ସବୁ କଟକଣା ହଟିବ ବୋଲି ଘୋଷଣା କରିଛନ୍ତି।

ଦେଶରେ ଓମିକ୍ରନ ଯୋଗୁ ସଂକ୍ରମଣ ବଢ଼ିବାରୁ ଗତ ମାସରେ ବ୍ରିଟେନ ସରକାର ବିଭିନ୍ନ ପ୍ରକାରର କଟକଣା ଲଗାଇଥିଲେ। ହେଲେ ଏବେ ଓମିକ୍ରନ ଜନିତ ସଂକ୍ରମଣ ପିକ୍‌ରେ ପହଞ୍ଚି ହ୍ରାସ ପାଉଥିବାରୁ ସରକାର କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।ସରକାରଙ୍କ ଘୋଷଣା ଅନୁଯାୟୀ, ତତ୍କାଳ ଭାବେ ଦେଶରେ ଲାଗୁ ହୋଇଥିବା ଘରୁ ରହି କାମ କରିବା ନିୟମକୁ ପ୍ରତ୍ୟାହାର କରାଯାଇଛି। ସେହିପରି ଆସନ୍ତା ସପ୍ତାହରୁ କୌଣସି ବି ସ୍ଥାନରେ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ। ସେହିପରି ସ୍ୱାସ୍ଥ୍ୟଗତ ପାସ୍ ବା ଟିକା ପାସ୍ ମଧ୍ୟ ସର୍ବସାଧାରଣ ସ୍ଥାନଗୁଡ଼ିକରେ ଲୋକଙ୍କୁ ଦେଖାଇବାକୁ ପଡ଼ିବନି। ଏହାର ଅର୍ଥ ଲୋକମାନେ ବିନା କୌଣସି କଟକଣାରେ ନାଇଟ କ୍ଲବ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ।

୨୦୨୦ ଲକଡାଉନ ବେଳେ ମଦ ପାର୍ଟି କରି ଅଡ଼ୁଆରେ ପଡ଼ିଥିବା ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବେ ନିଜର ରାଜନୀତିକ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି। ଏହି ଚାପରେ ମଧ୍ୟ ସେ ଲୋକଙ୍କ ସୁବିଧା ପାଇଁ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ବୁଷ୍ଟର ଡୋଜ୍‌ ଅଭିଯାନ ସଫଳ ହୋଇଥିବାରୁ କଟକଣା ହଟା ଯାଉଥିବା ଜନସନ କହିଛନ୍ତି। ଏବେ ଯାଏ ଦେଶରେ ୩୬ ମିଲିୟନରୁ ଅଧିକ ବୁଷ୍ଟର ଡୋଜ୍ ଲୋକଙ୍କୁ ଦିଆଯାଇ ସାରିଛି। ଦେଶରେ ୬୦ ବର୍ଷରୁ ଅଧିକ ବୟସ ବର୍ଗରେ ଥିବା ୯୦% ଲୋକ କରୋନା ବିରୋଧରେ ତୃତୀୟ ଡୋଜ୍‌ ନେଇ ସାରିଛନ୍ତି। ସେହିପରି ବିଗତ କିଛି ସପ୍ତାହ ହେଲାଣି ଦୈନିକ ସଂକ୍ରମଣ ମଧ୍ୟ ହ୍ରାସ ପାଉଛି। ମହାମାରୀ କରୋନା ବ୍ରିଟେନରେ ପିକ୍‌ ଛୁଇଁ ସାରିଥିବା ବୈଜ୍ଞାନିକମାନେ କହିଛନ୍ତି। ହେଲେ ମହାମାରୀ ଏଯାଏ ଶେଷ ହୋଇ ନଥିବା ମଧ୍ୟ କଟକଣା ହଟାଇବା ବେଳେ ଜନସନ ଲୋକଙ୍କୁ କହିଛନ୍ତି।

ବ୍ରିଟେନରେ ଓମିକ୍ରନ ଭାରିଏଣ୍ଟ ସଂକ୍ରମଣ ବୃଦ୍ଧି କରୁଥିଲେ ହେଁ ଅଧିକାଂଶ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁନି। ସେହିପରି ସଂକ୍ରମଣ ତୁଳନାରେ ମୃତ୍ୟୁହାର ମଧ୍ୟ ଯଥେଷ୍ଟ କମ। ବିଶେଷଜ୍ଞମାନେ କହିଛନ୍ତି ଯେ ମହାମାରୀ କରୋନା ସହ ଲୋକମାନେ ବଞ୍ଚିବା ଶିଖି ଗଲେଣି। ମହାମାରୀ କେବେ ସଂପୂର୍ଣ୍ଣ ଭାବେ ଶେଷ ହେବ, ସେକଥା କହି ହେବନି ବୋଲି ସେମାନେ ମତ ଦେଇଛନ୍ତି।

Also Read  Odisha Reports 197 Fresh Covid-19 Cases; 94 From Khurda District