ଅବୁ ସାଲେମର ଆବେଦନ ପରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

0
1344

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅବୁ ସାଲେମକୁ ୨୫ ବର୍ଷରୁ ଅଧିକ ସମୟର ଜେଲଦଣ୍ଡ ମିଳିବା ଉଚିତ ନୁହେଁ ବୋଲି ହୋଇଥିବା ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏ ସଂକ୍ରାନ୍ତରେ ଜବାବ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ୧୯୯୩ ମୁମ୍ବାଇ ବିସ୍ଫୋରଣ ଘଟଣାରେ ଅବୁ ସାଲେମକୁ ମୁମ୍ବାଇର ଟାଡା କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ହେଲେ ଏହାକୁ ସେ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛି।

ସାଲେମ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ଋଷି ମାଲହୋତ୍ରା ନିଜର ଦଲିଲ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଷନ କାଉଲଙ୍କ ଖଣ୍ଡପୀଠ ନିକଟରେ ଉପସ୍ଥାପନ କରିଛନ୍ତି। ଅବୁ ସାଲେମର ପ୍ରତ୍ୟର୍ପଣ ବେଳେ ଭାରତ ସରକାର ପର୍ତ୍ତୁଗାଲ ସରକାରଙ୍କୁ ଦେଇଥିବା ପ୍ରତିଶ୍ରୁତିରେ ସ୍ୱତନ୍ତ୍ର ଟାଡା କୋର୍ଟ ଏକମତ ହୋଇ ନାହାନ୍ତି। ତେଣୁ ସର୍ବୋଚ୍ଚ ଅଦାଲତ ତାଙ୍କ କ୍ଲାଏଣ୍ଟକୁ ଆଶ୍ୱସ୍ତି ଦେବେ ବୋଲି ସେ ଆଶା କରିଛନ୍ତି। ଅବୁ ସାଲେମର ପ୍ରତ୍ୟର୍ପଣ ବେଳେ ତା’କୁ ୨୫ ବର୍ଷରୁ ଅଧିକ ସମୟ ଜେଲରେ ରଖାଯାଇ ପାରିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ଆଇନଜୀବୀ ଜଣଙ୍କ ଯୁକ୍ତି ରଖିଛନ୍ତି।

ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ସାଲେମର ଆବେଦନ ଉପରେ ଜବାବ ରଖିବାକୁ କେନ୍ଦ୍ର ସରକାର ଓ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ହେବ। ଏହାପରେ ମାମାଲା ପରବର୍ତ୍ତୀ ଶୁଣାଣି ହେବ। ଏହି ଖଣ୍ଡପୀଠରେ ଜଷ୍ଟିସ କାଉଲଙ୍କ ବ୍ୟତୀତ ଜଷ୍ଟିସ ଏମଏମ ସୁନ୍ଦରେଶ ମଧ୍ୟ ରହିଛନ୍ତି।

ଆବେଦନରେ କୁହାଯାଇଛି ଯେ ୨୦୧୭ରେ ମୁମ୍ବାଇ ଟାଡା କୋର୍ଟ ଅବୁ ସାଲେମକୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଏହା ପ୍ରତ୍ୟର୍ପଣ ବେଳେ ହୋଇଥିବା ବୁଝାମଣାର ଉଲ୍ଲଙ୍ଘନ ଥିଲା। ୨୦୦୨ ଡିସେମ୍ବର ୧୭ ତାରିଖରେ ଭାରତ ସରକାର ଉପ ପ୍ରଧାନମନ୍ତ୍ରୀଙ୍କ ଜରିଆରେ ପର୍ତ୍ତୁଗାଲ ସରକାରଙ୍କ ସହ ସାଲେମର ପ୍ରତ୍ୟର୍ପଣ ପାଇଁ ଚୁକ୍ତି କରିଥିଲେ।

ଏହି ସମୟରେ କୁହାଯାଇଥିଲା ଯେ ଯଦି ପର୍ତ୍ତୁଗାଲ ସରକାର ଅବୁ ସାଲେମକୁ ଟ୍ରାଏଲ ପାଇଁ ଭାରତ ପଠାଇବେ, ତା’ହେଲେ ତା’କୁ ମୃତ୍ୟୁଦଣ୍ଡ କିମ୍ବା ୨୫ ବର୍ଷରୁ ଅଧିକ ସମୟ ଜେଲଦଣ୍ଡରେ ଦଣ୍ଡିତ କରାଯିବ ନାହିଁ। ୨୦୦୨ ସେପ୍ଟେମ୍ବର ୧୮ରୁ ଅବୁ ସାଲେମ ପାସପୋର୍ଟ ନିୟମ ଉଲ୍ଲଙ୍ଘନ ପାଇଁ ପର୍ତ୍ତୃଗାଲରେ ଗିରଫ ହୋଇଥିଲା। ଏହାପରେ ତା’କୁ ସାଢ଼େ ୪ ବର୍ଷର ଜେଲ ଦଣ୍ଡ ମିଳିଥିଲା। ପ୍ରତ୍ୟର୍ପଣ ପ୍ରୟାସ ବେଳେ ୨୦୦୩ ମସିହା ମାର୍ଚ୍ଚ ୨୮ରେ ପର୍ତ୍ତୁଗାଲ ସରକାର ଏକ ବିବୃତି ଜାରି କରିଥିଲେ।

Also Read  ଯେଉଁ ହସ୍ପିଟାଲ ରେ ସେ କର୍କଟ ରୋଗ ପାଇଁ ଚିକିତ୍ସା ହେଉଥିଲେ ..ସେଠାକୁ ପୁଣି ଗଲେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ

ଏହି ତାରିଖ ଠାରୁ ୨୫ ବର୍ଷ ହିସାବ ହେବା ଦରକାର। କିନ୍ତୁ ୨୦୦୫ ଅକ୍ଟୋବର ୧୨ ଠାରୁ ୨୫ ବର୍ଷ ଯାଏ ବିଚାର କରାଯାଉଛି।  ତେଣୁ ମୁକ୍ତ ପାଇଁ ତାରିଖକୁ ୨୦୦୩ ମାର୍ଚ୍ଚ ୧୮ରୁ ବିଚାର କରାଯାଉ ବୋଲି ଆଇଜୀବୀ ମାଲହୋତ୍ରା ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣ ମାମଲାରେ ସାମିଲ ଥିବା ସାଲେମକୁ ୨୦୦୫ ମସିହାରେ ଭାରତ ଅଣା ଯାଇଥିଲା। ଏହାପରେ ତାକୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି।