ଭୁବନେଶ୍ୱର : ପୁରୀ : ଆଜିଠୁ ଦୁଇଦିନିଆ ଗସ୍ତରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନନ୍ଦରରେ ପହଞ୍ଚିବା ପରେ ପୁରୀରେ ୩ଟା ୨୫ରେ ହେଲିପ୍ୟାଡରେ ଅବତରଣ କରିବେ । ଏଠାରୁ ସେ ପୁରୀସ୍ଥିତ ରାଜଭବନରେ ବିଶ୍ରାମ ନେବେ । ସନ୍ଧ୍ୟା ୫ଟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ସୁରକ୍ଷା ଦୃଷ୍ଟିରୁ ଦୁଇ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ।
ସନ୍ଧ୍ୟା ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ସେଠାରୁ ୫ଟା ୪୫ରେ ବାହାରିବେ । ଏଥିପାଇଁ ଆଜି ଅପରାହ୍ନ ୪ଟାରୁ ୬ଟା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ଦର୍ଶନ ସାରି ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବା ପାଇଁ ବ୍ୟବସ୍ଥା ହୋଇଛି । ସେହିଭଳି ଆସନ୍ତାକାଲି ଅର୍ଥାତ୍ ୨୦ତାରିଖ ସକାଳ ୧୦ଟା ୩୫ରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ ୧୧ଟାରେ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉତ୍ସବରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଦୁଇଦିନିଆ ଗସ୍ତ ପାଇଁ ବ୍ଲୁ ବୁକ୍ ବ୍ୟବସ୍ଥା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଗତକାଲି ପୁରୀରେ କାରକେଡ ରିହର୍ସାଲ ହୋଇଥିଲା ।
ଅପରପକ୍ଷେ, କୋଭିଡରେ ଆକ୍ରାନ୍ତ ପାଇଁ ଆଜି ରାଷ୍ଟ୍ରପତିଙ୍କ ସ୍ୱାଗତ ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ଗଜପତି ମହାରାଜା । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ କୋଭିଡ୍ କଟକଣା ଭିତରେ ହେବାକୁ ଥିବାରୁ ଗଜପତି ମହାରାଜାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ଏଥିରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ତେଣୁ ଆସନ୍ତା ୭ ଦିନ ଲାଗି ଗଜପତି ମହାରାଜା ସଂଗରୋଧରେ ରହିବେ । ସେ ଦୃଷ୍ଟିରୁ ଆଜି ରାଷ୍ଟ୍ରପତିଙ୍କ ସ୍ୱାଗତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ ବୋଲି ଶ୍ରୀନଅର ପକ୍ଷରୁ ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି