ଉତ୍କଳ ମାଟିର ସୁଯୋଗ୍ୟ ଦାୟଦ ଭାବେ ମାତୃଭୂମିର ଉନ୍ନତି କରିବା ପାଇଁ ବଦ୍ଧ ପରିକର ହେବା: ଧର୍ମେନ୍ଦ୍ର ପ୍ରଧାନ

0
742
Union Education Minister Calls For A Nationwide, Unified Plan To Drive Samagra Shiksha 2026–27
Union Education Minister Calls For A Nationwide, Unified Plan To Drive Samagra Shiksha 2026–27
ନୂଆଦିଲ୍ଲୀ/ଭୁବନେଶ୍ୱର:  ଏପ୍ରିଲ ୦୧:  ପବିତ୍ର ଉତ୍କଳ ଦିବସ ଅବସରରେ ଆମେ ଉତ୍କଳ ମାଟିର ସୁଯୋଗ୍ୟ ଦାୟଦ ହିସାବରେ ମାତୃଭୂମିର, ଆମ ବୀର କଳିଙ୍ଗ ଜାତିର ଗୌରବ, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାର ଉନ୍ନତି କରିବା ପାଇଁ ବଦ୍ଧ ପରିକର ହେବା ବୋଲି ଏକ ଭିଡ଼ିଓ ବାର୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଓଡ଼ିଶାର ଜନସାଧାରଣଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜଣାଇବା ସହ ଭାଷାଭିତିକ ଓଡ଼ିଶା ପ୍ରଦେଶ ଗଠନର ବରପୁତ୍ର ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି ଯେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ।

ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ଅନେକ ମହାପୁରୁଷଙ୍କର ଅଦମ୍ୟ ତ୍ୟାଗ, ଉତ୍ସାହ ଏବଂ ପ୍ରଚେଷ୍ଟା ଆମ ରାଜ୍ୟକୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ ।
ଆଜିର ଦିନରେ ଭାଷା ଭିତିରେ ଆମ ଓଡ଼ିଶାକୁ ମିଳିଥିଲା ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା । ତେଣୁ ଏହି ଦିନଟି ଆମ ସମସ୍ତ ଉତ୍କଳୀୟଙ୍କର ଏକ ସ୍ମରଣୀୟ ଦିବସ ।

ଆଜି ଆମେ ଭାଷାଭିତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ରାଜ୍ୟ ଗଠନ ହେବାର ୮୭ ବର୍ଷ ପାଳନ କରୁଛୁ । ଏହି ମାଟି ଶକ୍ତିଶାଳୀ ସମ୍ରାଟ ଅଶୋକଙ୍କର ହିଂସା ତ୍ୟାଗ କରିବାକୁ ବାଧ୍ୟ କରିଥିଲା । କଳିଙ୍ଗ ଯୁଦ୍ଧର ବିନାଶରୁ ଓଡ଼ିଶାର ମହାନ ରାଜା ଖାରାବେଳଙ୍କୁ ଜନ୍ମ ଦେବା ପର୍ଯ୍ୟନ୍ତ ଏହି ସବୁ ଇତିହାସକୁ ଆମକୁ ମନେ ରଖିବାକୁ ହେବ । ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ଭଳି ଯୋଦ୍ଧା ବୀର ଓଡ଼ିଆ ଜାତିକୁ ନୂତନ ଦିଗଦର୍ଶନ ଦେଇଥିଲେ । ଯେଉଁମାନେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ‘ପାଇକ ବିଦ୍ରୋହ’ର ନେତୃତ୍ୱ ନେଇଥିଲେ । ଆମର ଓଡ଼ିଶା ବୀର ମାନଙ୍କର ଭୂମି ।

ଏହି ମାଟି ଜୟୀ ରାଜଗୁରୁ, ବୀର ସୁରେନ୍ଦ୍ର ସାଏ, ଶହୀଦ ଲକ୍ଷ୍ମଣ ନାୟକ, ବାଜି ରାଉତ, ମାଧୋ ସିଂହଙ୍କ ଭଳି ଅନେକ ବୀର ସଂଗ୍ରାମୀଙ୍କୁ ଜନ୍ମ ଦେଇଛି । ଏ ଭୂମି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟି । ପଠାଣି ସାମନ୍ତ ମହାକାଶ ବିଜ୍ଞାନକୁ ଆୟତ କରିଥିଲେ । ସେହିପରି ସମସ୍ତଙ୍କୁ କଲ୍ୟାଣର ସଂକଳ୍ପ ଶିଖାଇଥିଲେ ପବିତ୍ର ମହିମା ଧର୍ମର ପ୍ରଚାରକ ସନ୍ଥ କବି ଭୀମ ଭୋଇ ।

Also Read  Odisha Govt Reconstitutes Task Force to Suggest Implementation Measures for NEP-2020

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅତୀତରେ ଓଡ଼ିଆ ସାଧବପୁଅ ମାନେ ଚୀନ୍‌, ଦକ୍ଷିଣ-ପୂର୍ବ ଏସିଆ ଏବଂ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରୁଥିଲେ । ବେପାର-ବଣିଜ ପାଇଁ ଆମର ସାହସୀ ଓଡ଼ିଆ ପୁଅଙ୍କ ଏହି ଯାତ୍ରା ଐତିହାସିକ ବାଲିଯାତ୍ରା ପରି ପରମ୍ପରାକୁ ଜନ୍ମଦେଇଛି । ଆମ ଓଡ଼ିଶା ଏଭଳି ଏକ ରାଜ୍ୟ, ଯିଏ କେବଳ ଶତ୍ରୁର ଆକ୍ରମଣ ନୁହେଁ ବରଂ ଦୁର୍ଭିକ୍ଷ, ମରୁଡ଼ି, ବାତ୍ୟା ଏବଂ ମହାମାରୀକୁ ମଧ୍ୟ ସହ୍ୟ କରିପାରିଛି । ଆମେ ବିଶ୍ୱକୁ ଅନେକ ମହାନ କଳା, ହସ୍ତଶିଳ୍ପ ଏବଂ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରଦାନ କରିଛୁ । ରସଗୋଲା, ଛେନାପୋଡ଼, ପଖାଳ, ବେସର, ଆରିସା ପିଠା ପରି ବ୍ୟଞ୍ଜନ ସାରା ବିଶ୍ୱରେ ଓଡ଼ିଶାକୁ ଅନନ୍ୟ ପରିଚୟ ଦେଇଛି ।

୨୦୩୬ରେ ଆଉ ମାତ୍ର ୧୪ ବର୍ଷ ପରେ ଭାଷାଭିତିକ ରାଜ୍ୟ ଭାବରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ୨୦୪୭ ସୁଦ୍ଧା ୨୬ ବର୍ଷ ପରେ ଭାରତକୁ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ ।

ଏହି ସମୟ ମଧ୍ୟରେ ଓଡ଼ିଆ ଜାତିକୁ ପୁଣି ଥରେ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ସଂକଳ୍ପ ନେବା ପାଇଁ ପଡ଼ିବ । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାକୁ ଆଗକୁ ନେବା ପାଇଁ ହେଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିବାର ବିଚାରକୁ ଆପଣାଇବାକୁ ହେବ । ମାତୃଭାଷା ସହ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ପଡ଼ିବ । ଏହା ଦ୍ୱାରା ଭବିଷ୍ୟତର ଯୁବପିଢି କୁଶଳୀ ହୋଇ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ମାତୃଭାଷାର ବିକାଶ ବିନା କୌଣସି ଜାତିର ଉନ୍ନତି ଅସମ୍ଭବ । ଏହାକୁ ଲକ୍ଷ୍ୟରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଥମିକତା ଦିଆଯାଇଛି । ଭାରତର ଭାଷା ବିବିଧତାକୁ ନେଇ ଗର୍ବ କରିବା ଏବଂ ନିଜର ମାତୃଭାଷା ଓଡ଼ିଆକୁ ସର୍ବୋଚ୍ଚ ଗୁରୁତ୍ୱ ଦେବା ଓ ଭାଷାକୁ ଐତିହ୍ୟ ଭଳି ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ନେବାକୁ ଶ୍ରୀ ପ୍ରଧାନ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ।