ଗୁପ୍ତଧନ ସନ୍ଦେହରେ ଏମାରମଠରେ ଖୋଳିଲେ, ବାହାରିଲା ଲୁହା

0
594

ପୁରୀ : ଗୁପ୍ତଧନ ଥିବା ସନ୍ଦେହ କରି ଐତିହ୍ୟପୂର୍ଣ୍ଣ ଏମାରମଠରେ ଆଜି ତିନିଟି ସ୍ଥାନରେ ଖୋଳା ଯାଇଥିଲା। ହେଲେ ସେଠାରୁ ମିଳିଲା ନାହିଁ ଗୁପ୍ତ ଧନ। ସେଠାରୁ ଗୋଟିଏ ଲୁହା ଖଣ୍ଡ ବାହାରିବା ଦେଖିବାକୁ ମିଳିଥିଲା। ୨୦୧୧ ମସିହାରେ ୫୨୨ ଖଣ୍ଡ ଓ ୨୦୨୧ ମସିହାରେ ୪୫ ଖଣ୍ଡ ରୁପା ଇଟା ଏହି ମଠରୁ ବାହାରିଥିଲା।

ପୁରୀର ଏମାରମଠରେ ଗୁପ୍ତଧନ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାପରେ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ନାରାୟଣ ରାମାନୁଜ ଦାସ, ଜିଲ୍ଲାପ୍ରଶାସନର ଅଧିକାରୀ ଓ ପୁଲିସ ମଠରେ ପହଞ୍ଚି ଥିଲେ। ମଠର ବିଭିନ୍ନ ସ୍ଥାନକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିଲା। ଏହା ପରେ ଖନନ ଆରମ୍ଭ ହୋଇଥିଲା। ପ୍ରଥମେ ମଠର ମୁଖ୍ୟ ପ୍ରବେଶ ପଥ ନିକଟରେ ଖନନ କରାଯାଇଥିଲା। ସେଠାରୁ କିଛି ଗୁପ୍ତଧନର ସନ୍ଧାନ ମିଳିନଥିଲା। ଏହା ପରେ ଝୁଲଣ ମଣ୍ଡପରେ ପୂର୍ବ ଚିହ୍ନଟ ହୋଇଥିବା ଦୁଇଟି ସ୍ଥାନରେ ଖୋଳା ଯାଇଥିଲା। ସେଠାରୁ ୫୦୦ ଗ୍ରାମ ଓଜର ଖଣ୍ଡିଏ ଲୁହା ମିଳିଥିଲା।

ଐତିହ୍ୟ ବାହନ କରୁଥିବା ପୁରୀର ପ୍ରତିଷ୍ଠିତ ଏମାରମଠ ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ସମୟରେ ଲକ୍ଷଲକ୍ଷ ଲୋକଙ୍କୁ ଅନ୍ନ ଯୋଗାଇଥିଲା। ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁ ଅବଦାନ ରହିଛି। ଏହି ମଠର ପ୍ରଚେଷ୍ଟାରେ ୧୯୨୧ ମସିହାର ରଘୁନନ୍ଦନ ଲାଇବ୍ରେରୀ ସହ ଅନେକ ଶିକ୍ଷାନୁଷ୍ଠାନର ପୁନରୁଦ୍ଧାର କରାଯାଇଥିଲା। ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଏମାରମଠର ସିଂହଭାଗ ଉଚ୍ଛେଦ କରାଯାଇଛି। ଏମାରମଠର ଝୁଲଣ ମଣ୍ଡପ, ମନ୍ଦିର, ଗାଦି ଘର, ମହନ୍ତଙ୍କ ବାସସ୍ଥାନ ବିକାଶ କରାଯାଇଛି।

Also Read  Cases of crime against women increases in Odisha making it fourth in the 2015 list according to NCRB records