ଗ୍ରହ ପୂଜା ବାହାନାରେ ଟଙ୍କା-ଅଳଙ୍କାର ଲୁଟ୍‌, ୨ ଅଭିଯୁକ୍ତ ଗିରଫ

0
1162

ମାଲକାନଗିରି: ଲୋକେ ଏବେ ବି ଅନ୍ଧ ବିଶ୍ବାସକୁ ଜାବୁଡି ଧରିଛନ୍ତି। ମାଲକାନଗିରି ସଦର ମହକୁମାରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଘରେ ଦୁଇ ଦୁଇ ଜଣଙ୍କର ଅଚାନକ ମୃତ୍ୟୁ ଏବଂ ଘରର ଜଣେ ସଦସ୍ୟଙ୍କର ଦୁର୍ଘଟଣାରେ ଆହତ ହେବା ପରିବାର ଲୋକଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇଦେଇଥିଲା। ଏହାର ଫାଇଦା ଉଠାଇ କିପରି ଦୁଇ ଠକ ଗ୍ରହ ପୂଜା କରିବା ବାହାନାରେ ଟଂକା, ସୂନା ଅଳଙ୍କାର ଲୁଟି ନେବାରେ ସଫଳ ହୋଇଥିଲେ। କିନ୍ତୁ ପରିବାରର ଲୋକଙ୍କ ଉଚିତ ବୁଦ୍ଧି ଯୋଗୁଁ ପୁଣି ଠକମାନଙ୍କୁ କାବୁ କରି ପୁଲିସର ଜମା ଦେଇଥିଲେ। ପୁଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଘଟଣା ଅନୁଯାୟୀ ନବରଂଗପୁର ଜିଲ୍ଲାର ଡାବୁଗାଁରେ ବାସ କରୁଥିବା ବିଜୟ ପଟ୍ଟନାୟକ ତାଙ୍କର ଘରେ ଗ୍ରହ ଶାନ୍ତି ପାଇଁ ଦୁଇ ଜଣ ବ୍ୟକ୍ତିଙ୍କୁ ଡାକିଥିଲେ। ସେମାନେ ହେଲେ ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ଥାନା ଅନ୍ତର୍ଗତ ବାଲିଡିଆଁ ଗ୍ରାମର ସଂତୋଷ ସାହୁ(୪୦) ଏବଂ ମାନସ ସେନାପତି(୩୮)। ଡାବୁଗାଁର ବିଜୟ ପଟ୍ଟନାୟକଙ୍କ ଗରେ ଦୁହେଁ ପୂଜା ପାଇଁ ସଜବାଜ ହେଉଥିବା ବେଳେ ବିଜୟ ପଟନାୟକ ତାଙ୍କର ଝିଅ ଓ ଜ୍ବାଇଁ ମାଲକାନଗିରି ଜେଲସାହିରେ ବାସ କରୁଥିବା କହିଥିଲେ।  ଘରେ ଗତ ଏକ ବର୍ଷ ମଧ୍ୟରେ ଦୁଇ ଦୁଇ ଜଣଙ୍କର ଅଚାନକ ମୃତ୍ୟୁ ହେବା ଏବଂ ଗତ କିଛି ଦିନ ତଳେ ତାଂକ ଜ୍ବାଇଁ ସୁନୀଲ ପଟ୍ଟନାୟକଙ୍କର ଦୁର୍ଘଟଣା ହେବାକୁ ସହଜରେ ସେ ଗ୍ରହଣ କରିପାରୁନଥିଲେ।

ଏହି ବିଷୟ ବିଜୟ ବାବୁ ସନ୍ତୋଷ ଏବଂ ମାନସକୁ କହିବା ପରେ ଦୁହେଁ ବିଜୟ ପଟ୍ଟନାୟକଙ୍କୁ ତୁରନ୍ତ ସେଠାରେ ଅତୃପ୍ତ ଆତ୍ମାର ସାୟା ରହିଥିବା ଡରାଇବା ସହ ତୁରନ୍ତ ଗ୍ରହଶାନ୍ତି ପାଇଁ ପୂଜା କରିବାକୁ ପଡିବ ବୋଲି କହିଥିଲେ।ବିଜୟ ପଟନାୟକ ମଧ୍ୟ ଏଥିରେ ଭୟଭିତ ହୋଇ ଏହି ଦୁଇ ବ୍ୟକ୍ତିଙ୍କୁ ଏକ କାର ଭଡା କରି ମାଲକାନଗିରି ଆଣିଥିଲେ।

ବିଜୟ ପଟ୍ଟନାୟକଙ୍କ ସହ ସନ୍ତୋଷ ଏବଂ ମାନସ ମାଲକାନଗିରିରେ ପହଞ୍ଚିବା ପରେ ଜେଲସାହିରେ ବାସ କରୁଥିବା ଜ୍ବାଇଁ ସୁନୀଲଙ୍କ ଘରକୁ ଯାଇଥିଲେ। ସୁନୀଲ ସହ ଗ୍ରହ ଶାନ୍ତି ପାଇଁ କଥାବାର୍ତ୍ତା କରି ପୂଜା ଆରମ୍ଭ କରିଥିଲେ। ସେତେବେଳକୁ ସଂଧ୍ୟା ହୋଇ ଆସୁଥିଲା। ଗ୍ରହଶାନ୍ତି ପାଇଁ ସମସ୍ତ ପ୍ରକାର ସାମଗ୍ରୀ ଆଣିବାକୁ କହିବା ସହ ଶୋଇବା ଘରେ ପୂଜା ଆରମ୍ଭ କରିଥିଲେ। ସନ୍ତୋଷ ଘରେ ଏକୁଟିଆ ପୂଜା କରୁଥିବା ବେଳେ ଘର ଭିତରକୁ କାହାରିକୁ ଭର୍ତ୍ତି କରିନଥିଲା। ଏମିତିକି ତାଙ୍କ ସହ ଆସିଥିବା ମାନସକୁ ମଧ୍ୟ ବାହାରେ ରହିବାକୁ କହିଥିଲା। କିନ୍ତୁ ବେଳେ ବେଳେ ମାନସ ଘର ଭିତରକୁ ଯାଇ ପୁଣି ବାହାରକୁ ଫେରି ଆସୁଥିଲା। ପ୍ରାୟ ରାତି ୧୧ଟା ଯାଏଁ ପୂଜା ଚାଲିଥିଲା। ଘର ସାରା ଧୂଆଁପୂର୍ଣ୍ଣ ହୋଇଯାଇଥିଲା। ପୂଜା ସରିବା ପରେ ଦୁହେଁ ସୁନୀଲ ଏବଂ ତାଂକ ପତ୍ନୀକୁ ଦୁଇ ଦିନ ପର୍ଯ୍ୟନ୍ତ ଘର ଭିତରକୁ ଯିବା ପାଇଁ ମନା କରିଥିଲେ। ପରେ ବିଜୟ ପଟ୍ଟନାୟକଙ୍କ ସହ ଡାବୁଗାଁ ଫେରିଯାଇଥିଲେ।

Also Read  Alleging violation of environment norm, OSPCB shuts about 17 crusher mills at Khurda

ତେବେ ହଠାତ ସୁନୀଲ ଘରର ଧୁଆଁ ସରିବା ପରେ କିଛି ମନରେ ଭାବି ଘର ଭିତରକୁ ପଶିଥିଲେ। ସେ ଯାହା ଦେଖିଲେ ହୋସ ଉଡିଯାଇଥିଲା। ତାଙ୍କର ଆଲମିରାର କବାଟ ଖୋଲା ପଡିଛି ଏବଂ ଜିନିଷ ଏଣେତେଣେ ପଡିଛି। ସଂଗେ ସଂଗେ ତାଙ୍କ ଶ୍ବଶୁର ବିଜୟ ପଟ୍ଟନାୟକଙ୍କୁ ଫୋନ କରି ଦୁଇ ଜଣ ବ୍ୟକ୍ତିଙ୍କୁ ଧରି ଆସିବାକୁ କହିଥିଲେ। ବିଜୟ ପଟ୍ଟନାୟକ ମଧ୍ୟ ଦୁହିଁଙ୍କୁ ମାଲକାନଗିରି ଫେରାଇ ଆଣିଥିଲେ। ତେବେ ଏହା ପୂର୍ବରୁ ସୁନୀଲ ସାହିର କିଛି ଯୁବକଙ୍କୁ ଲୁଚି ରହିବାକୁ କହିଥିଲେ। ମାନସ ଓ ସନ୍ତୋଷ ସୁନୀଲକୁ କଣ ହେଲା ବୋଲି ପଚାରିଥିଲେ। ଏତିକିବେଳେ ଦୁହିଁକୁ ଏକ ଘରେ ପୁରାଇ ଉତ୍ତମ ମଧ୍ୟମ ଦେବା ପରେ ପୁଲିସକୁ ଖବର ଦିଆଯାଇଥିଲା ପୁଲିସ ଆସି ଦୁଇ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଦୁହେଁ ଏକ ବ୍ୟାଗରେ ଟଙ୍କା ଓ ଅଳଙ୍କାର ଚୋରି କରି ନେବାର ଦେଖିବାକୁ ମିଳିଥିଲା। ତେବେ ସୁନୀଲଙ୍କ ଉଚିତ ବୁଦ୍ଧି ଯୋଗୁଁ ତାଙ୍କର ସମସ୍ତ ସଂପତ୍ତି ମିଳିଯାଇଥିଲା। ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଜିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ତେବେ ଏଭଳି ଠକମାନଙ୍କ ଠାରୁ ଦୁରରେ ରହିବାକୁ ପୁଲିସ ଅନୁରୋଧ କରିଥିଲା।