ଜୁନ୍‌ ୧୩ରେ ବାଚସ୍ପତି ନିର୍ବାଚନ, ଶୁକ୍ରବାର ହେବ ପ୍ରାର୍ଥୀପତ୍ର ଦାଖଲ

0
509
house-adjourned-due-to-oppositions-hohalla-on-ruchika-suicide-iisue

ଭୁବନେଶ୍ବର: ଜୁନ୍‌ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଏନେଇ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ ହେବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂର୍ଯ୍ୟ ନାରାୟଣ ପାତ୍ର ଶନିବାର ଦିନ ବାଚସ୍ପତି ପଦବିରୁ ଇସ୍ତଫା ଦେବା ପରେ ପଦ ଖାଲି ପଡ଼ିଛି। ତାଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ପାତ୍ର କିଡ୍‌ନି ରୋଗରେ ସଂକ୍ରମିତ ହୋଇ ଗତ ୧୪ ଦିନ ହେଲା ସମ୍ ଅଲ୍ଟିମେଟ୍ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

ତାଙ୍କ ବାମ ଆଖିରେ ମଧ୍ୟ ବାକ୍ଟେରିଆ ସଂକ୍ରମଣ ହୋଇଛି। ଅସୁସ୍ଥତା ଯୋଗୁ ସେ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି। ଆଉ କୌଣସି ସରକାରୀ ଦାୟିତ୍ବ ନେବେନି ବୋଲି ସେ ଜଣାଇ ଦେଇଛନ୍ତି। ଏପଟେ ଶାସକ ଦଳ ପକ୍ଷରୁ କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଆରୁଖ ଶନିବାର ଦିନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ୧୯୯୫ ମସିହାରୁ ଲଗାତାର ଭାବେ ଭଞ୍ଜନଗରରୁ ଜିତି ଆସୁଥିବା ଆରୁଖ ୨୦୦୮ ମସିହାରେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ବ ତୁଲାଇଥିଲେ। ଏହା ପରେ ୨୦୦୯ ମସିହାରୁ ଲଗାତାର ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ଆସୁଛନ୍ତି। ସେ ବିଭିନ୍ନ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବରେ ରହିଛନ୍ତି।

Also Read  ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା, ପତ୍ନୀଙ୍କ ଅବସ୍ଥା ଗୁରୁତର