ଧରାପଡ଼ିଗଲେ ରସିକିଆ ଟ୍ୟୁସନ୍‌ ସାର୍‌ : ୨ଛାତ୍ରୀ ମଧ୍ୟ ଉଦ୍ଧାର

0
547
ଧରାପଡ଼ିଗଲେ ରସିକିଆ ଟ୍ୟୁସନ୍‌ ସାର୍‌
ଧରାପଡ଼ିଗଲେ ରସିକିଆ ଟ୍ୟୁସନ୍‌ ସାର୍‌

ସମ୍ବଲପୁର: ଧରାପଡ଼ିଗଲେ ରସିକିଆ ଟ୍ୟୁସନ୍‌ ସାର୍‌ । ୨ ଟ୍ୟୁସନ୍‌ ଛାତ୍ରୀଙ୍କୁ ଧରି ସାର୍‌ଜଣକ ରାଜଧାନୀରୁ ଫେରାର ହୋଇ ଯାଇଥିବା ବେଳେ ୩ ଦିନ ପରେ ସମ୍ବଲପୁରରେ ମାଡ଼ି ବସିଛି ପୁଲିସ୍‌। ସମ୍ପୃକ୍ତ ଶିକ୍ଷକ ଗୋପାଳକୃଷ୍ଣ ବାଡ଼ତିୟାଙ୍କୁ ପୁଲିସ୍‌ ଥାନାକୁ ନେଇ ଅଟକ ରଖିଥିବା ବେଳେ ୨ ନାବାଳିକାଙ୍କୁ ଉଦ୍ଧାର କରି ସଖୀ ସେଣ୍ଟରରେ ରଖା ଯାଇଥିବା ଜଣାଯାଇଛି।

ଟ୍ୟୁସନ୍‌ କରୁ କରୁ ଶିକ୍ଷକଜଣକ ୨ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର ହେବା ପରେ ପରିବାର ଲୋକ ବଡଗଡ଼ ଥାନା ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପୁଲିସ୍‌ ଖୋଜାଖୋଜି ଆରମ୍ଭ କରି ଶିକ୍ଷକ ଗୋପାଳକୃଷ୍ଣ ୨ ଛାତ୍ରୀଙ୍କୁ ଧରି ସମ୍ବଲପୁରର ଅଇଁଠାପାଲିରେ ରହୁଥିବା ଜଣାପଡ଼ିଥିଲା। ଏପରିକି ଗୋପାଳକୃଷ୍ଣ ସେଠାରେ ଏକ ଘର ଭଡ଼ା ନେଇ ୨ ନାବାଳିକାଙ୍କୁ ଧରି ରହୁଥିଲେ।

ଖବର ପାଇ ଅଇଁଠାପାଲି ପୁଲିସ୍‌ ଗତ ରାତିରେ ଗୋପାଳକୃଷ୍ଣଙ୍କୁ ଧରି ଥାନାକୁ ନେଇ ପଚରାଉଚରା କରୁଛି। ଏଥିସହ ୨ ନାବାଳିକାଙ୍କୁ ଉଦ୍ଧାର କରାଯାଇ ସଖୀ ସେଣ୍ଟରରେ ରଖାଯାଇଛି। ଖବର ପାଇ କମିଶନରେଟ ପୁଲିସ୍‌ର ଏକ ଟିମ୍‌ ସମ୍ବଲପୁରରେ ପହଞ୍ଚି ସମ୍ପୃକ୍ତ ଶିକ୍ଷକ ଓ ୨ ନାବାଳିକାଙ୍କୁ ଧରି ଭୁବନେଶ୍ୱର ଅଭିମୁଖେ ପଳାଇ ଆସିଛି।  ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ଲୋକାଲ କୋର୍ଟରେ ହାଜର କରାଯିବା ସହ ସମସ୍ତଙ୍କ ମେଡିକାଲ ଚେକଅପ୍‌ କରାଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଗୋପାଳକୃଷ୍ଣ ବାଡ଼ତିୟା ନାମକ ବ୍ୟକ୍ତି ୨ ନାବାଳିକା ଝିଅଙ୍କୁ ଟ୍ୟୁସନ୍ କରୁଥିଲେ। ଏହାପରେ ଗତ ରବିବାର ଅଭିଭାବକ କିଛି ସମୟ ଘରେ ଅନୁପସ୍ଥିତ ଥିବା ବେଳେ ଏହାର ସୁଯୋଗ ନେଇ ଦୁଇ ଝିଅଙ୍କୁ ଧରି ଚମ୍ପଟ୍ ମାରିଛନ୍ତି ଟ୍ୟୁସନ ସାର୍‌ ।  ୨ ନାବାଳିକା ଏକ ହାତ ଲେଖା ଛାଡ଼ି ଯାଇଥିବା ବେଳେ ସେଥିରେ ୮ ଦିନ ପରେ ଫେରି ଆସିବେ ବୋଲି ବି ଉଲ୍ଲେଖ ମଧ୍ୟ କରିଥିଲେ।

ଏହାପରେ  ପୁଲିସ୍‌ ତନାଘନା ଆରମ୍ଭ କରି ବିଭିନ୍ନ ଥାନାକୁ ସମ୍ପୃକ୍ତ ଶିକ୍ଷକ ଗୋପାଳକୃଷ୍ଣଙ୍କ ସମ୍ପର୍କରେ  ସୂଚନା ଦେଇଥିଲା। ଏହାପରେ ସେ ସମ୍ବଲପୁରରେ ଥିବା ବେଳେ ତାଙ୍କୁ ଠାବ କରାଯାଇଛି।  ତେବେ ଗୋପାଳକୃଷ୍ଣଙ୍କ ଉଦ୍ଦେଶ୍ୟ କ’ଣ ଥିଲା, ସେ ସେଠାରେ କେତେ ଦିନ ରହିବାକୁ ଯୋଜନା କରିଥିଲେ, ଅଳ୍ପ ଦିନ ରହିବାର ଥିଲେ ହୋଟେଲରେ ରହିବା ପରିବର୍ତ୍ତେ ଘର ଭଡ଼ା ନେଇ କ’ଣ ପାଇଁ ରହିଲେ ଆଦି ପ୍ରଶ୍ନକୁ ନେଇ ଦେଖାଦେଇଛି ଉତ୍ସୁକତା। ଏପରିକି ଘର ମାଲିକଜଣକ କେଉଁ ଆଧାରରେ ଘର ଭଡ଼ା ଦେଲେ, ଗୋପାଳକୃଷ୍ଣ ୨ ନାବାଳିକାଙ୍କୁ ନେଇଥିବା ବେଳେ ସେମାନଙ୍କ ପରିଚୟ କ’ଣ ଦେଲେ ଆଦି ପ୍ରଶ୍ନକୁ ନେଇ ପୁଲିସ୍‌ ଆରମ୍ଭ କରିଛି ଖୋଳତାଡ଼ ।

Also Read  International Centre for Foot-and-mouth disease (FMD) to be inaugurated by Union Agro Minister