ଧରା ପଡ଼ିଲା ଡ୍ରାଗନ୍‌ର ମିଛ : ଗଲୱାନ ନଦୀରେ ଭାସି ଯାଇଥିଲେ ୩୮ ଚୀନ୍‌ ସୈନ୍ୟ

0
596

ନୂଆଦିଲ୍ଲୀ: ୨୦୨୦ ଜୁନ୍ ୧୫ ତାରିଖ ରାତିରେ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ଗଲୱାନ ସଂଘର୍ଷରେ  ୩୮ ଜଣ PLA ଯବାନ ଗଲୱାନ ନଦୀରେ ଭାସି ଯାଇଥିଲେ। ଚୀନ୍‌ ଲୁଚାଉଥିବା ଏହି ତଥ୍ୟକୁ ପଦାରେ ପକାଇଛି ଅଷ୍ଟ୍ରେଲିଆ ଖବରକାଗଜ ସଂସ୍ଥା ‘ଦ କ୍ଲାକ୍ସନ୍’। ଗଲୱାନ ଘାଟିରେ ହୋଇଥିବା ଏହି ରକ୍ତାକ୍ତ ସଂଘର୍ଷରେ ତା’ର ମାତ୍ର ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ନେଇ ଚୀନ୍‌ ପକ୍ଷରୁ ଯେଉଁ ଦାବି କରାଯାଇଥିଲା ତାହା ସମ୍ପୂର୍ଣ୍ଣ ମିଛ ବୋଲି କହିଛି ‘ଦ କ୍ଲାକ୍ସନ୍’।

‘ଦ କ୍ଲାକ୍ସନ୍’ ପକ୍ଷରୁ କୁହାଯାଇଛି,  ପ୍ରକୃତ ପକ୍ଷେ ଗଲୱାନ ଘାଟିରେ ଚୀନ୍‌କୁ ଶକ୍ତ ଝଟକା ଲାଗିଥିଲା। ଚୀନର ସ୍ୱୀକାରୋକ୍ତି ତୁଳନାରେ ଏଠାରେ ୯ ଗୁଣା ଅଧିକ ସୈନିକ ମରିଛନ୍ତି। ରାତାରାତି ଗଲୱାନ ନଦୀ ପାର ହୋଇ ଭାରତୀୟ ସୈନ୍ୟଙ୍କୁ ଆକ୍ରମଣ କରିବାକୁ ଚୀନ୍‌ ଷଡ଼ଯନ୍ତ୍ର ରଚିଥିବା ବେଳେ ସବୁ ଫସର ଫାଟି ଯାଇଥିଲା। ନଦୀର ପ୍ରଖର ସ୍ରୋତରେ ୩୮ ଚୀନ ସୈନିକ ଭାସିଯାଇଥିଲେ। ଏହାକୁ ଚୀନ୍‌ କେବେ ସ୍ୱୀକାର କରିନି। ବରଂ ଏହାକୁ ଲୁଚାଇବାକୁ ଡ୍ରାଗନ ରଚିଥିଲା ମିଥ୍ୟା ନାଟକ।

ପ୍ରାୟ ବର୍ଷେ ଧରି ଏହି ଘଟଣାକୁ ନେଇ ଅନୁସନ୍ଧାନ କରିବା ପରେ ‘ଦ କ୍ଲାକ୍ସନ’ ପ୍ରକାଶ କରିଛି ତଥ୍ୟ ସମ୍ବଳିତ ରିପୋର୍ଟ। ଗଲୱାନ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ଏଥିରେ ଦର୍ଶାଯାଇଛି। ‘ଦ କ୍ଲାକ୍ସନ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗଲୱାନ ନଦୀର ଏକ ପାର୍ଶ୍ୱରେ ଭାରତ ପକ୍ଷରୁ ଏକ ଅସ୍ଥାୟୀ ବ୍ରିଜ ନିର୍ମାଣ କାମ ଆରମ୍ଭ ହେବା ପରଠୁ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଚୀନ୍‌ ପକ୍ଷରୁ ମଧ୍ୟ ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା।

ରିପୋର୍ଟ ଅନୁଯାୟୀ, ୨୦୨୦ ଏପ୍ରିଲ ପରଠୁ ଚୀନ୍‌ ବାରମ୍ବାର ଭାରତ ସହ ହୋଇଥିବା ଚୁକ୍ତିନାମାକୁ ଉଲ୍ଲଘଂନ କରିବାକୁ ଚେଷ୍ଟା ଚଳାଇଲା। ଭାରତ ପକ୍ଷରୁ ଗଲୱାନ ନଦୀ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କାମ ଆରମ୍ଭ ହେବା ପରେ ଚୀନ୍‌ ଏହାକୁ ବିରୋଧ କରିବା ଆରମ୍ଭ କଲା। ୨୦୨୦ ମସିହା ଜୁନ୍‌ ୬ରେ ୮୦ ଜଣ ଚୀନ୍‌ ସୈନ୍ୟ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହେଲେ। ଏହାପରେ ବଫର ଜୋନ୍‌ରୁ ଉଭୟ ପକ୍ଷ ପଛକୁ ହଟିବେ ବୋଲି ଉକ୍ତ ଦିନ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଥିଲା।

ହେଲେ ୧୫ ଜୁନ୍‌ରେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଭାରତୀୟ ସୈନ୍ୟମାନେ ଚୀନ୍‌ର ଗତିବିଧି ଦେଖିବାକୁ ଯାଇଥିଲେ। ସେତେବେଳେ ଚୀନ୍‌ ସୈନ୍ୟମାନେ ହଠାତ୍‌ ଆକ୍ରମଣ କରିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ରକ୍ତାକ୍ତ ସଂଘର୍ଷ। ଏହାପରେ ରାତିର ଅନ୍ଧାରରେ ଗଲୱାନ ନଦୀ ଅତିକ୍ରମ କରିବାକୁ ସ୍ଥିର କରିଥିଲେ ଚୀନ୍‌ ସୈନ୍ୟ। ହେଲେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ ୩୮ ଚୀନ ସୈନିକ।

Also Read  Project Mumbai Hosted The Zero Waste Schools Sustainability Mela 2025

ସୂଚନାଯୋଗ୍ୟ, ଗତ ୪ ଦଶନ୍ଧିରେ ପ୍ରଥମ ଥର ପାଇଁ ୨୦୨୦ ମସିହାରେ ଚାଇନା ଓ ଭାରତ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଚୀନ୍‌ ଏହି ସଂଘର୍ଷରେ ତା’ର ୪ ସୈନ୍ୟ ପ୍ରାଣ ହରାଇଥିବା କହୁଥିଲା। ଏଥିସହ ଗତ ବର୍ଷ ଫେବ୍ରୁଆରୀରେ ଉକ୍ତ ୪ ଜଣଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଥିଲା। ଚୀନ୍‌ର କହିବା ଅନୁଯାୟୀ, ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ସଂଘର୍ଷରେ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ପାଣିରେ ବୁଡ଼ି ଜୀବନ ଯାଇଥିଲା। ହେଲେ ଏବେ ସତ ପଦାକୁ ଆସିବା ପରେ ବିଶ୍ୱ ଦରବାରରେ ପୁଣି ଥରେ ଚୀନ୍‌ର ମିଛ ଧରା ପଡ଼ି ଯାଇଛି।