ନୂଆଦିଲ୍ଲୀ: ପରୀକ୍ଷା ଆମ ଜୀବନର ଅଂଶବିଶେଷ ଭଳି। ପରୀକ୍ଷାରୁ ପ୍ରାପ୍ତ ଅଭିଜ୍ଞତା ଆବଶ୍ୟକ ବେଳେ କାମରେ ଲାଗେ ବୋଲି ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ର ୫ମ ସଂସ୍କରଣରେ ୯ମରୁ ୧୨ଶ ଶ୍ରେଣୀ ପିଲାମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ତାଲ୍କଟୋରା ଷ୍ଟାଡିୟମ୍ରେ ପିଲାମାନଙ୍କୁ ଦେଶରେ ହେବାକୁ ଥିବା ଏପ୍ରିଲ୍ ମାସର ଉତ୍ସବ ଅବସରରେ ଶୁଭକାମନା ଜଣାଇବା ସହ ପରୀକ୍ଷାକୁ କେମିତି ଉତ୍ସବରେ ପରିଣତ କରାଯାଇ ପାରିବ, ତାହା ମଧ୍ୟ କହିଛନ୍ତି।
ପରୀକ୍ଷା ସମୟରେ ଭୀତତ୍ରସ୍ତ ପରିବେଶରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀ ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସାଙ୍ଗମାନଙ୍କୁ ଅନୁକରଣ କରିବା ଅନାବଶ୍ୟକ। ଯାହା କରୁଛ ପୂର୍ଣ୍ଣ ଆତ୍ମବିଶ୍ବାସର ସହ କର। ମୋର ବିଶ୍ବାସ, ଏଭଳି କଲେ ତୁମେ ମହୋତ୍ସବ ମିଜାଜ୍ରେ ଥିବା ଭଳି ପରୀକ୍ଷା ଦେଇ ପାରିବ।
ପ୍ରଧାନମନ୍ତ୍ରୀ ପୁଣି ମଧ୍ୟ କହିଛନ୍ତି ଯେ, ପାଠପଢ଼ାର ମାଧ୍ୟମ ସମସ୍ୟା ନୁହେଁ। ମାଧ୍ୟମ ଉପରେ ମନୋନିବେଶ କରିବା ଗୁରୁତ୍ବପୂର୍ଣ୍ଣ। ଅଫ୍ଲାଇନ୍ରେ ଯାହା ପଢ଼ାଯାଏ, ଅନ୍ଲାଇନ୍ରେ ମଧ୍ୟ ତାହା ପଢ଼ାଯାଏ। ଏହାର ଅର୍ଥ ମାଧ୍ୟମ ସମସ୍ୟା ନୁହେଁ। ଯଦି ବିଷୟବସ୍ତୁ ପ୍ରତି ମନୋନିବେଶ କରାଯିବ ପାଠ ଧରିବାରେ କୌଣସି ପାର୍ଥକ୍ୟ ରହିବ ନାହିଁ।
‘ଜାତୀୟ ଶିକ୍ଷା ନୀତି’ ପ୍ରସ୍ତୁତି କରିବା ପୂର୍ବରୁ ଆମେ ୬/୭ ବର୍ଷ ଧରି ଭାରତର ସବୁ ପ୍ରାନ୍ତର ଶିକ୍ଷକ ଓ ଛାତ୍ରମାନଙ୍କ ସହ ବିଚାରବିମର୍ଶ କରିଛୁ। ଏହି ନୀତି ଭାରତର ନାଗରିକମାନଙ୍କଦ୍ବାରା ପ୍ରସ୍ତୁତ କରାଯାଇଛି। କ୍ଷେତ୍ର ପରିବର୍ତ୍ତନ କରିବାକୁ ଚାହୁଁଥିଲେ ‘ଜାତୀୟ ଶିକ୍ଷା ନୀତି’ ତୁମ୍ଭମାନଙ୍କୁ ନୂତନ କ୍ଷେତ୍ରଗୁଡ଼ିକର ମାର୍ଗଦର୍ଶନ କରାଇବ। ଜୀବନର ଅବିଚ୍ଛେଦ୍ୟ ଅଂଶ ହୋଇଥିବାରୁ ଖେଳକୁଦକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।
ଦକ୍ଷତା ସମଗ୍ର ବିଶ୍ବରେ ଅତୀବ ଗୁରୁତ୍ବପୂର୍ଣ୍ଣ। କିନ୍ତୁ, ପ୍ରଯୁକ୍ତିବିଦ୍ୟା କ୍ଷତିକାରକ ନୁହେଁ, ଏହାର ଫଳପ୍ରଦ ବ୍ୟବହାର କରାଯିବା ଉଚିତ। ଆଜି ଶିକ୍ଷାର୍ଥୀମାନେ ୩ଡି ପ୍ରିଣ୍ଟର୍ ବିକଶିତ କରି ବୈଦିକ ଗଣିତ ପାଇଁ ଆପ୍ ଚଳାଉଛନ୍ତି। ସେମାନେ ନିପୁଣତାର ସହ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଅଭିଭାବକମାନଙ୍କୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କ ପ୍ରତ୍ୟାଶା ଓ ଅପୂରଣୀୟ ଅଭିଳାଷ ସବୁକୁ ପିଲାମାନଙ୍କ ଉପରେ ଲଦି ଦିଅନ୍ତୁ ନାହିଁ। ପ୍ରତ୍ୟେକ ପିଲା ସ୍ବତନ୍ତ୍ର। ପ୍ରତ୍ୟେକ ପିଲାଙ୍କର ବିଶେଷ ମେଧା ଏବଂ ବ୍ୟକ୍ତିଗତ ଅଭିଳାଷ ଅଛି। ସେମାନଙ୍କ ଉପରେ ଆପଣମାନଙ୍କ ଆଶାଆଙ୍କକ୍ଷା ସବୁକୁ ଲଦି ଦିଅନ୍ତୁ ନାହିଁ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବେଳେ ବେଳେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ସମୟରେ ଶିକ୍ଷାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତେଣୁ, ଶ୍ରେଣୀରେ ଯାହା ଶିଖୁଛ ସାଙ୍ଗମାନଙ୍କ ସହିତ ଆଉ ଥରେ ସେସବୁ ଆଲୋଚନା କର। ଏହାଦ୍ବାରା ସଭିଏଁ ଏକ ସମୟରେ ଜ୍ଞାନ ଆହରଣ କରିପାରିବେ।