ବିଧାନସଭା: ସାର କଳାବଜାର ରୋକିବାକୁ ବିଧାୟକଙ୍କ ଦାବି

0
1046

ଡେସ୍କ: ଚଳିତ ଖରିଫ ଋତୁରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୪,୦୫,୯୯୯ ମେଟ୍ରିକ ଟନ୍‍ ସାର ଯୋଗାଣ ହୋଇଥିବା ଆଜି ବିଧାନସଭାରେ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ଏଥି ମଧ୍ୟରେ ୨ ଲକ୍ଷ ୫ ହଜାର ୯୯୯ ମେଟ୍ରିକ ଟନ୍‍ ୟୁରିଆ, ୭୭ ହଜାର ୬୭୧ ଟନ୍‍ ଡିଏପି, ୨୬ ହଜାର ୬୯୮ ଟନ୍‍ ଏସଓପି ଏବଂ ୯୫ ହଜାର ୬୩୮ ମେଟ୍ରିକ ଟନ୍‍ ଏନ୍‍ପିକେ ରହିଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜାଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଯେତିକି ସାର ଯୋଗାଉଛନ୍ତି ତାହାକୁ ବିଭିନ୍ନ ଜିଲ୍ଲାର ଆବଶ୍ୟକତାକୁ ଦେଖି ପଠାଯାଉଛି। ତେବେ ଗତ ପ୍ରାୟ ୫ ବର୍ଷ ହେଲା ରାଜ୍ୟର ଆବଶ୍ୟକତା ଅନୁଯାୟୀ କେନ୍ଦ୍ର ସରକାର ସାର ଯୋଗାଉ ନାହାନ୍ତି। ବର୍ତ୍ତମାନ ଋଷିଆ ଓ ବେଲାରୁସରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାର ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ସେଠାରୁ ଆସିପାରୁ ନାହିଁ। ତେଣୁ ସାର ଯୋଗାଣ ପ୍ରଭାବିତ ହୋଇଛି। ତେବେ ସଦସ୍ୟମାନେ ସାରର ବ୍ୟାପକ କଳାବଜାର ସହିତ ପଡୋଶୀ ରାଜ୍ୟକୁ ଏହାର ଚୋରା ଚାଲାଣ ହେଉଥିବା ଏବଂ ସାର ସହିତ ଅନ୍ୟାନ୍ୟ ସାମଗ୍ରୀ ଖରିଦ ପାଇଁ ଡିଲରମାନେ ବାଧ୍ୟ କରୁଥିବା ନେଇ ଅଭିଯୋଗ ଉଠାଇଥିଲେ।

Also Read  ଭୁଶୁଡିବାରେ ଲାଗିଛି ପଞ୍ଜାବ କଂଗ୍ରେସ, ସୁନୀଲଙ୍କ ପରେ ବିଜେପିରେ ଯୋଗଦେଲେ ୫ ଜଣ ବରିଷ୍ଠ ନେତା