ବ୍ରହ୍ମଗିରିରେ ନିର୍ବାଚନୀ ହିଂସା , ୬ ଗୁରୁତର

0
916

ବ୍ରହ୍ମଗିରି : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ସାମ୍ନାକୁ ଆସିଛି ପ୍ରାକ ନିର୍ବାଚନୀ ହିଂସା । ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରିରେ ଦୁଇ ରାଜନୈତିକ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଜଣେ ମହିଳାଙ୍କ ସମେତ ୬ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର ବ୍ୟକ୍ତି ଗୋଟିଏ ଦଳର ବୋଲି ଜଣାପଡ଼ିଛି । ସେମାନଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ବୁଧବାର ରାତିରେ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାମାନେ ଉକ୍ତ ଗାଁରେ ପ୍ରଚାର କରୁଥିଲେ। ଏହି ସମୟରେ ଜଣେ ମହିଳା ଯାହାଙ୍କର ଦୁଇବର୍ଷ ତଳେ ଘର ପୋଡ଼ି ହୋଇଯାଇଥିଲା, ତାଙ୍କୁ ସଂପୃକ୍ତ ଦଳର ନେତା ଘର ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମହିଳା ଜଣଙ୍କୁ ଘର ମିଳିନଥିଲା। ଯାହାକୁ ନେଇ ସେ ଗତକାଲି ପ୍ରଚାର ସମୟରେ ସଂପୃକ୍ତ ଦଳର ନେତାଙ୍କୁ ପଚାରିଥିଲେ। ଆଉ ପରବର୍ତ୍ତୀ ସମୟରେ ଏହାକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା।

ହେଲେ ଆଜି ସକାଳୁ ସେହି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଗୋଷ୍ଠୀ ମହିଳାଙ୍କ ଘର ଆଗରେ ବକାବନା ଗାଳିଗୁଲଜ କରିଥିଲେ। ତେବେ ପ୍ରତିପକ୍ଷ ଲୋକେ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ମାମଲା ସମାଧାନ ହେବା ବଦଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ପରସ୍ପରକୁ ମାରପିଟ୍ ଓ ଟେକା ପଥର ମାଡ଼ କରିଥିଲେ। ଯେଉଁଥିରେ ଜଣେ ମହିଳାଙ୍କ ସମେତ ୬ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ରେବଣା ନୂଆ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହାସହ ଉକ୍ତ ଗାଁ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଲିସ୍ ମୁତୟନ ରହିଛନ୍ତି।

Also Read  Odisha to formulate new policy to promote state as wedding destination: Deputy CM Parida