ଭାରତର ସାଂସଦଙ୍କୁ ଚୀନା ଦୂତାବାସର ରାଜନୈତିକ ପରାମର୍ଶଦାତା କେଉଁ ସାହସରେ ଚିଠି ଲେଖିଲେ : ସୁଜିତ୍‌ କୁମାର

0
432
‘ଡିନର୍‌ ରିସେପ୍‌ସନ୍‌’
‘ଡିନର୍‌ ରିସେପ୍‌ସନ୍‌’

ନୂଆଦିଲ୍ଲୀ : ସର୍ବବୃହତ୍‌ ଗଣତନ୍ତ୍ର ଭାରତର ସାଂସଦଙ୍କୁ ଚିଠି ଲେଖିବାକୁ ଚୀନା ଦୂତାବାସର ରାଜନୈତିକ ପରାମର୍ଶଦାତା କିଏ? କେଉଁ ସାହସରେ ଆପଣ ଭାରତୀୟ ସାଂସଦମାନଙ୍କୁ ଚିଠି ପଠାଇଲେ? ଯଦି କିଛି ଅସୁବିଧା ହେଉଛି, ଆପଣ ‘ଅଫିସିଆଲ୍‌ ଚାନେଲ୍‌’ ଜରିଆରେ ପ୍ରତିବାଦ କରି ପାରିବେ ବୋଲି ତିବ୍ବତ ଆୟୋଜିତ ‘ଡିନର୍‌ ରିସେପ୍‌ସନ୍‌’ରେ ଯୋଗ ଦେଇଥିବା ‘ସର୍ବଦଳୀୟ ଭାରତୀୟ ସଂସଦୀୟ ଫୋରମ୍‌’ର ଆବାହକ ତଥା ବିଜେଡି ସାଂସଦ ସୁଜିତ୍‌ କୁମାର କହିଛନ୍ତି ।

ସେ ଆହୁରି ମଧ୍ୟ ଲେଖିଛନ୍ତି, ବ୍ୟକ୍ତିଗତ ଭାବେ କହିବାକୁ ଗଲେ, ତିବ୍ବତ ଚୀନ୍‌ର ଅଂଶ ବୋଲି ମୁଁ ବିବେଚନା କରେନାହିଁ। ତାହା ଭିନ୍ନ ପ୍ରସଙ୍ଗ, କାରଣ ଭାରତ ସରକାରଙ୍କର ରାଜନୈତିକ ନୀତି ଭିନ୍ନ। କିନ୍ତୁ, ‘ତିବ୍ବତ ପାଇଁ ସର୍ବଦଳୀୟ ଭାରତୀୟ ସଂସଦୀୟ ଫୋରମ୍‌’‌ ତିବ୍ବତୀୟ ସାଂସ୍କୃତିକ ଏବଂ ଧାର୍ମିକ ବିଶ୍ବାସକୁ ସମର୍ଥନ କରେ। ତେଣୁ, ଏହାର ରାଜନୀତିକରଣ କରାଯିବା ଅନୁଚିତ।

ସୂଚନାଯୋଗ୍ୟ, ନିର୍ବାସିତ ଥିବା ତିବ୍ବତୀୟ ସଂସଦ ଡିସେମ୍ବର ୨୧ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ‘ଦି ଇମ୍ପେରିଆଲ୍‌ ହୋଟେଲ୍‌’ରେ ଆୟୋଜନ କରିଥିବା ‘ଡିନର୍‌ ରିସେପ୍‌ସନ୍‌’ରେ ‘ସର୍ବଦଳୀୟ ଭାରତୀୟ ସଂସଦୀୟ ଫୋରମ୍‌’‌ର ଅଧିକାଂଶ ରାଜନୈତିକ ଦଳର ସଦସ୍ୟମାନେ ଯୋଗ ଦେଇଥିଲେ। ତିବ୍ବତ ଆୟୋଜିତ ଅଭ୍ୟର୍ଥନାରେ ଭାରତୀୟ ସାଂସଦମାନେ ଯୋଗ ଦେବାରୁ ପ୍ରତିକ୍ରିୟାଶୀଳ ହୋଇ ଦିଲ୍ଲୀସ୍ଥିତ ଚୀନା ଦୂତାବାସର ରାଜନୈତିକ ପରାମର୍ଶଦାତା ଜୌ ୟୋଙ୍ଗ୍‌ସେଙ୍ଗ୍‌ ଗଭୀର ଉଦ୍‌ବେଗ ପ୍ରକାଶ କରି ଭାରତୀୟ ସାଂସଦମାନଙ୍କୁ ଚିଠି ଲେଖିଥିଲେ।

ଚିଠିରେ ସେ ଲେଖିଥିଲେ, ଆପଣ ହେଉଛନ୍ତି ଚୀନ୍‌ ଓ ଭାରତର ସମ୍ପର୍କ ବିଷୟରେ ଉତ୍ତମ ରୂପେ ଅବଗତ ଥିବା ଜଣେ ବରିଷ୍ଠ ରାଜନୀତିଜ୍ଞ। ଆପଣ ଉକ୍ତ ଘଟଣାର ସ୍ପର୍ଶକାତରତାକୁ ବୁଝି ‘ତିବ୍ବତୀୟ ସ୍ବାଧୀନତା ବଳ’ଙ୍କୁ ସମର୍ଥନ ଦେବାରୁ ନିବୃତ ରହି ଚୀନ୍‌ ଓ ଭାରତର ଦ୍ବିପାକ୍ଷିକ ସମ୍ପର୍କ ପ୍ରତି ଅବଦାନ ଦେବେ ବୋଲି ମନେହେଉଥିଲା।

ବି‌ଜେଡି ସାଂସଦ ସୁଜିତ କୁମାରଙ୍କ ନେତୃତ୍ବରେ ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର, ମେନକା ଗାନ୍ଧୀ, ଜନାର୍ଦ୍ଦନ ସିଂହ ଗିଗ୍ରିୱାଲ୍‌, ସ୍ବପନ ଦାସଗୁପ୍ତ, କେ.ସି. ରାମମୂର୍ତ୍ତି, କଂଗ୍ରେସ ସାଂସଦ ଜୟରାମ ରମେଶ, ମନୀଷ ତିୱାରି, ରାଣୀ ପ୍ରତିଭା ସିଂହ, ‘ଆର୍‌ପିଆଇ’ ସାଂସଦ ରାମଦାସ ଆଥାୱାଲେ, ‘ଜେଡିୟୁ’ ସାଂସଦ ଚନ୍ଦନେଶ୍ବର ପ୍ରସାଦ ଯୋଗ ଦେଇଥିଲେ।

‘ତିବ୍ବତୀୟ ଅଭ୍ୟର୍ଥନା ଭୋଜି’ରେ ଯୋଗ ଦେଇଥିବା ଭାରତୀୟ ସାଂସଦମାନେ ଚୀନ୍‌ର ଏଭଳି ଅସୌଜନ୍ୟ ପତ୍ର ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନଙ୍କର ପ୍ରତିକ୍ରିୟା ସମ୍ବଳିତ ପତ୍ରାବଳୀ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି ମଧ୍ୟ ସାପ୍ତାହିକ ସମ୍ବାଦିକ ସମ୍ମିଳନୀରେ ଚୀନା ରାଜନୈତିକ ପରାମର୍ଶଦାତାଙ୍କ ପତ୍ରକୁ ଅପ୍ରାସଙ୍ଗିକ କହି ତୀବ୍ର ସମାଲୋଚନା କରିଛନ୍ତି।

Also Read  Different opinions storm in Assembly House over Orissa HC Bench location in Western Odisha

ନିର୍ବାସିତ ତିବ୍ବତୀୟ ସରକାରଙ୍କ ମୁଖପାତ୍ର ସେନ୍‌ଜିନ୍‌ ଲେକ୍ଷେ ମଧ୍ୟ ଏଥିପାଇଁ ଚୀନ୍‌କୁ ସମାଲୋଚନା କରିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ତିବ୍ବତ ପ୍ରତି ଭାରତର ସଦାସର୍ବଦା ସମର୍ଥନ ଚୀନ୍‌କୁ ଅସ୍ଥିର କରିପକାଉଛି। ୧୯୭୦ରେ ‘ତିବ୍ବତ ପାଇଁ ସର୍ବଦଳୀୟ ଭାରତୀୟ ସଂସଦୀୟ ଫୋରମ୍‌’‌ର ସ୍ରଷ୍ଟା ଥିଲେ ଏମ୍‌. ସି. ଚଗଲା। ଏବେ ଏହାର ଅଧ୍ୟକ୍ଷ ଅଛନ୍ତି ‘ବିଜେଡି’ ସାଂସଦ ସୁଜିତ କୁମାର। ଅତୀତରେ ଅନେକ ମହାନ୍‌ ଭାରତୀୟ ନେତା ତିବ୍ବତକୁ ସମର୍ଥନ କରିଛନ୍ତି ଏବଂ ଏବେ ମଧ୍ୟ ଆହୁରି ଅନେକ ସମର୍ଥନ କରୁଛନ୍ତି।