ଭିସୁଟ୍‌ରେ ଅଫ୍‌ଲାଇନ୍‌ ପରୀକ୍ଷା ସ୍ଥଗିତ

0
804
ଭିସୁଟ୍‌ରେ ଅଫ୍‌ଲାଇନ୍‌ ପରୀକ୍ଷା ସ୍ଥଗିତ
ଭିସୁଟ୍‌ରେ ଅଫ୍‌ଲାଇନ୍‌ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ, ପଞ୍ଚମ ଓ ସପ୍ତମ ସେମିଷ୍ଟର ଅଫ୍‌ଲାଇନକୁ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏହାସହ ସବୁ ଅଫ୍‌ଲାଇନ୍‌ କ୍ଲାସକୁ ବନ୍ଦ କରାଯାଇଛି।

ଗତକାଲି ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଛାତ୍ରଛାତ୍ରୀମାନଙ୍କର ସ୍ୱାବ୍ ନମୁନା ପରୀକ୍ଷା କରିଥିଲେ। କେତେକ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ। କୋଭିଡ୍ ଆକ୍ରାନ୍ତ ଛାତ୍ରୀଛାତ୍ରୀମାନଙ୍କୁ ଅଙ୍ଗିରା ହଷ୍ଟେଲରେ ଆଇସୋଲେସନରେ ରଖାଯାଇଥିବା ବେଳେ ଯେଉଁ ଛାତ୍ରଛାତ୍ରୀଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି।

ସେହିପରି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ନିଳାଦ୍ରୀପ୍ରସାଦ ପଞ୍ଚାୟତରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ସ୍କୁଲ୍‌ର ୧୦ ଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ଛାତ୍ରାବାସରେ ଏକାନ୍ତବାସରେ ରହିଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ୫ ତାରିଖ ସଂଧ୍ୟା ୭ଟାରୁ ୧୯ ତାରିଖ ରାତ୍ର ୯ଟା ଯାଏ ଏହି ଛାତ୍ରାବାସକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଗତ ଦୁଇ ଦିନ ହେଲା ଛାତ୍ରାବାସରେ କ୍ୟାମ୍ପ କରାଯାଇ ୭୫ ଅନ୍ତେବାସୀଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଥିଲେ।

ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପିଜି ହଷ୍ଟେଲର ଜଣେ ଛାତ୍ର କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ହେଲା ଛାତ୍ର ଜଣକ ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇଥିଲେ। ଏହା ଜଣାପଡ଼ିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଛାତ୍ର ଜଣଙ୍କ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ସ୍ୱାବ ପରୀକ୍ଷା କରାଇଥିଲେ। ଆରଟି-ପିସିଆର ରିପୋର୍ଟରେ ଛାତ୍ର ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଆଜି ହଷ୍ଟେଲରେ ଥିବା ଅନ୍ୟ ଛାତ୍ରଙ୍କର ନମୁନା ପରୀକ୍ଷା କରାଯିବ ବୋଲି ଭିସି ଉମାବଲ୍ଲଭ ମହାପାତ୍ର ସୂଚନା ଦେଇଛନ୍ତି।

Also Read  Two Players from Odisha in 18-member Indian Junior Women's Hockey Team