ମହଙ୍ଗା ପଡିଲା ଗାନ୍ଧିଙ୍କୁ ଅପମାନ : ବନ୍ଧା ହେଲେ ବାବା କାଳୀଚରଣ

0
559
ବାବା କାଳୀଚରଣ
ବାବା କାଳୀଚରଣ

ନୂଆଦିଲ୍ଲୀ: ମହଙ୍ଗା ପଡିଲା ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅପମାନ କରିବା। ବନ୍ଧା ହେଲେ ବିବାଦୀୟ ବାବା କାଳୀଚରଣ। ତାଙ୍କୁ ଆଜି ରାୟପୁର ପୁଲିସ ମଧ୍ୟପ୍ରଦେଶର ଖଜୁରାହରୁ ଗିରଫ କରିଛି। କାଳୀଚରଣ ଖଜୁରାହ ଠାରୁ ୨୫ କିଲୋମିଟର ଦୂର ବାଗେଶ୍ୱର ଧାମ ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ଭଡାରେ ରହୁଥିଲେ। ଖବର ପାଇ ସେଠାରୁ ପୁଲିସ ତାଙ୍କୁ ଆଜି ଭୋରୁ ୪ଟା ବେଳେ ଗିରଫ କରିଛି। ଏବେ ତାଙ୍କୁ ରାୟପୁର ଅଣାଯିବ।

ସେପଟେ କାଳୀଚରଣଙ୍କ ଗିରଫକୁ ମଧ୍ୟପ୍ରଦେଣ ସରକାର ତରଫରୁ ବିରୋଧ କରାଯାଇଛି। ଛତିଶଗଡ ପୁଲିସର ଏଭଳି ଆଚରଣକୁ ନେଇ ସେ ଆପତ୍ତି ଉଠାଇଛନ୍ତି। ଯଦି ଛତିଶଗଡ ସରକାର ଚାହିଁଥାନ୍ତେ, ତେବେ ନୋଟିସ ଦେଇ ତାଙ୍କୁ (କାଳୀଚରଣ ମହାରାଜ) ଡାକି ପାରିଥାନ୍ତେ। ମଧ୍ୟପ୍ରଦେଶ ଡିଜିପିଙ୍କୁ ଛତିଶଗଡର ଡିଜିପିଙ୍କ ସହ କଥା ହେବାକୁ କୁହାଯାଇଛି।

 

ସୂଚନା ମୁତାବକ, ଗତ କିଛି ଦିନ ତଳେ କାଳୀଚରଣ ମହାରାଜ ଛତିଶଗଡର ରାୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମହାତ୍ମାଗାନ୍ଧିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ସେ ମହାତ୍ମା ଗାନ୍ଧିଙ୍କୁ ଅପମାନିତ କରିବାର ସହ ତାଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେକୁ ପ୍ରଶଂସା କରିଥିଲେ।

ତାଙ୍କର ଏହି ବିବାଦୀୟ ବୟାନକୁ ନେଇ ରାୟପୁରର ପୂର୍ବତନ ମେୟର ପ୍ରମୋଦ ଦୁବେ ପୁଲିସରେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କ ନାଁରେ ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା ପାଇଁ ମାମଲା ମଧ୍ୟ ହୋଇଥିଲା। ରାଜ୍ୟ କଂଗ୍ରେସ ମୁଖ୍ୟ ମୋହନ ମାରକମ ସନ୍ଥ କାଳୀଚରଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଦାବି କରିଥିଲେ।

ପରେ କାଳୀଚରଣ ମହାରାଜଙ୍କ ବିରୋଧରେ ଛତିଶଗଡ ପୁଲିସ ମାମଲା ରୁଜୁ କରିଥିଲା। ଏହି ଆଧାରରେ ଆଜି ତାଙ୍କୁ ପୁଲିସ ଗିରଫ କରିଛି। କେବଳ ଛତିଶଗଡରେ ନୁହେଁ ମହାରାଷ୍ଟ୍ର ଓ ପୁଣେରେ ମଧ୍ୟ ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।

 

Also Read  EOW of Odisha CB arrests five allegedly involved in a bank loan fraud case