ମିଳିଲା ସୁମିତଙ୍କ ଠିକଣା : ତପସ୍ୱିନୀଙ୍କ ପାଇଁ ଖୋଜୁଛନ୍ତି ଭଡ଼ା ଘର

0
713
ମିଳିଲା ସୁମିତଙ୍କ ଠିକଣା
ମିଳିଲା ସୁମିତଙ୍କ ଠିକଣା

ଆସିକା : ଉଜୁଡ଼ା ସଂସାରକୁ ନୂଆ କରି ଗଢ଼ିବାକୁ କୋର୍ଟ ଦେଇଥିଲେ ୭ ଦିନ ସମୟ। ଏହି ସମୟ ମଧ୍ୟରେ ସ୍ୱାମୀସ୍ତ୍ରୀ ଏକାନ୍ତରେ ରହିଲେ। ହେଲେ ଏ ଯାଏ ମିଳିନି ଉଭୟଙ୍କ ମନ । କୋର୍ଟଙ୍କ ନିର୍ଦ୍ଦେଶ ମାନି ସୁମିତ ସ୍ୱାମୀର କର୍ତ୍ତବ୍ୟ ପାଳନ କରି ପତ୍ନୀ ତପସ୍ୱିନୀଙ୍କ ଯତ୍ନ ନେଉଥିଲେ, ହେଲେ ନ ଥିଲା ପ୍ରେମ କି ଆତ୍ମୀୟତା। ଗତକାଲି ପତ୍ନୀଙ୍କୁ ନ ଜଣାଇ ଡାକ୍ତର ସୁମିତ ସାହୁ କେଉଁଆଡ଼େ ପଳାଇ ଯାଇଥିବା ବେଳେ କାନ୍ଦି କାନ୍ଦି ୭ ଦିନର କଥା ବଖାଣିଛନ୍ତି ପତ୍ନୀ ତପସ୍ୱିନୀ ଦାଶ।

ହେଲେ ସ୍ୱାମୀଙ୍କ ବାଟକୁ ଅନାଇ ବସିଛନ୍ତି ତପସ୍ୱିନୀ । ସ୍ୱାମୀ ଆସିବା ଯାଏଁ ସେ ଗେଷ୍ଟ ହାଉସ୍‌ର ଅପେକ୍ଷା କରିବେ ବୋଲି ଦୋହରାଇଛନ୍ତି ।  ଡ. ସୁମିତ କେଉଁଆଡ଼େ ଫେରାର ହୋଇ ଯାଇଥିବା ନେଇ ଗତକାଲିଠୁ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ଉପରେ ସଫେଇ ରଖିଛନ୍ତି ତାଙ୍କ ଓକିଲ। ଏନେଇ ସେ କହିଛନ୍ତି, ମୋ ମହକିଲ ଜଣେ ସରକାରୀ ଅଧିକାରୀ। ସେ କେଉଁଆଡ଼େ ଫେରାର ହୋଇନାହାନ୍ତି।  ସେ ଏବେ ବାଲିସିରାରେ ଅଛନ୍ତି। ଶରୀର ଅସୁସ୍ଥ ଯୋଗୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଶ୍ରାମ କରୁଛନ୍ତି। ୫ ଦିନ ପାଇଁ ସେ ଛୁଟି ଆବେଦନ କରିଛନ୍ତି। ଘଟଣାକୁ ଅତିରଞ୍ଜିତ କରାଯାଉଛି।

ତପସ୍ୱିନୀଙ୍କ ସହ ସୁମିତଙ୍କ ସମ୍ପର୍କକୁ ନେଇ ପଚରାଯିବାରୁ ଉଭୟ ୭ ଦିନ ଏକାଠି ରହିଥିଲେ ବି ଉଭୟଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନାହିଁ। ତେଣୁ ତାଙ୍କୁ କୁଆଡ଼େ ଯିବା ସମ୍ପର୍କରେ କ’ଣ ଜଣାଇବେ ।   ଯିବା ସମ୍ପର୍କରେ ସେ ଆଇଆଇସିଙ୍କୁ ଜଣାଇଛନ୍ତି। ଏହାବାଦ ଶରୀର ଅସୁସ୍ଥ ସତ୍ତ୍ୱେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ତପସ୍ୱିନୀଙ୍କ ପାଇଁ ଭଡ଼ା ଘର ଖୋଜୁଥିବା କହିଛନ୍ତି ତାଙ୍କ ଓକିଲ।

ତପସ୍ୱିନୀଙ୍କୁ ଝିଅ ବୋଲି ମାନୁଥିବା ତଥା ଶ୍ୱଶୁର ଘର ସମ୍ମୁଖରେ ସେ ଧାରଣାରେ ବସିଥିବା ବେଳେ ତାଙ୍କ ପାଖେ ପାଖେ ସବୁବେଳେ ଜଗି ବସୁଥିବା ଏବେ ସୁମିତଙ୍କ ନିଖୋଜ ପରେ ବର୍ଷିଛନ୍ତି। ମୋ ଝିଅକୁ ନ୍ୟାୟ ନ ମିଳିଲେ କିମ୍ବା ତାର କୌଣସି ଅସୁବିଧା ହେଲେ ଆଇନ୍‌ର ଦ୍ୱାରସ୍ଥ ହେବି ବୋଲି କହିଛନ୍ତି। ତପସ୍ୱିନୀଙ୍କ କହିବା ଅନୁସାରେ ଚିନିକଳ ଆଇବିରେ ୭ ଦିନ ଏକାଠି ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗୋଟିଏ ଦିନ ଏକାଠି ରହିଥିଲୁ। କିନ୍ତୁ ଦ୍ୱିତୀୟ ଦିନ ୧୧ଟା ବେଳେ ସୁମିତଙ୍କ ପାଖକୁ ଗୋଟିଏ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ ରିସିଭ୍‌ କରିବା ପରେ ସେ ଆଉ ଘର ଭିତରକୁ ଯିବେନି ବୋଲି କହିଥିଲେ। ସେ ରୁମ୍‌ ବାହାର ବାରଣ୍ଡାରେ ରହିଲେ। ସ୍ୱାମୀ ଯେହେତୁ ବାରଣ୍ଡାରେ ରହୁଛନ୍ତି, ତେଣୁ ମୁଁ କେମିତି ରୁମ୍‌ରେ ରହିବି? ସେଥିପାଇଁ ମୁଁ ମଧ୍ୟ ଆସି ତାଙ୍କ ସହିତ ବାରଣ୍ଡାରେ ରହିଲି। ୭ ଦିନ ଯାକ ବାରଣ୍ଡାରେ ରହିଥିଲୁ ବୋଲି ତପସ୍ୱିନୀ କହିଛନ୍ତି।

Also Read  12-year old girl drowns in swimming pool in officers’ club of Paradip Port Trust

ଏହାବାଦ ସେ କହିଛନ୍ତି, ଗତକାଲି ସକାଳେ ମୁଁ ଖାଇବାକୁ ଯାଇଥିଲି। ଠିକ୍‌ ଏହି ସମୟରେ ଗୋଟିଏ ସ୍କୁଟି ଆସିଲା। ପୁଲିସ ଉପସ୍ଥିତିରେ ସେ ସ୍କୁଟିରେ ବସି ପଳାଇ ଗଲେ। ମୁଁ ତାଙ୍କ ପଛରେ ଧାଇଁ ଧାଇଁ ଡାକିଥିଲେ ମଧ୍ୟ ସେ ଶୁଣିନଥିଲେ। ଆଉ ତା’ପରେ ତାଙ୍କର କୌଣସି ଫୋନ୍‌ କଲ ଆସିନାହିଁ।” ସାତ ଦିନ ଏକାଠି ରହିବା ସତ୍ତ୍ୱେ ଏଯାଏ ମିଳିନି ଉଭୟ ସୁମିତ ଓ ତପସ୍ୱିନୀଙ୍କ ମନ । ତେଣୁ କୋର୍ଟଙ୍କ ନିର୍ଦ୍ଦେଶ ମାନି ଉଭୟ ଏକ ଭଡ଼ା ଘରେ ନୂଆ ସଂସାର ଗଢ଼ିବେ ନା ଗଢ଼ିବା ପୂର୍ବରୁ ଆଉ କିଛି ଘଟିବ ତାକୁ ସମସ୍ତେ ଅନାଇ ରହିଛନ୍ତି।