ଲକ୍ଷ୍ନୌ: ମାତ୍ର ୨୫ ବର୍ଷ ବୟସରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ପୂଜା ଶୁକ୍ଳା। ତାଙ୍କୁ ଚଳିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଟିକେଟ ଦେଇଛି। ସେ ଲକ୍ଷ୍ନୌ ଉତ୍ତର ଆସନରୁ ନିର୍ବାଚନ ଲଢ଼ିବେ। ପୂଜାଙ୍କୁ ଅଖିଲେଶ ଟିକେଟ ଦେବା ପରେ ସେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସବୁଠାରୁ କନିଷ୍ଠ ପ୍ରାର୍ଥୀ ଭାବେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।
ପୂଜା ଶୁକ୍ଳା ୨୦୧୭ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିରୋଧ କରି କଳା ପତାକା ଦେଖାଇଥିଲେ। ଗଣତନ୍ତ୍ରରେ କଳା ପତାକା ଦେଖାଇବା ଅଧିକାର ପୂଜାଙ୍କର ଥିଲେ ମଧ୍ୟ ତାଙ୍କୁ ପୁଲିସ୍ ଗିରଫ କରିଥିଲା। ଏଥିପାଇଁ ସରକାରଙ୍କୁ ବିଭିନ୍ନ ମହଲରେ ସମାଲୋଚନା ହେବାକୁ ମଧ୍ୟ ପଡ଼ିଥିଲା। ସେହିପରି ପୂଜା ମଧ୍ୟ ସମସ୍ତଙ୍କ ପାଖରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏବେ ଏହାକୁ ଆଧାର କରି ଅଖିଲେଶ ତାଙ୍କୁ ନିର୍ବାଚନରେ ଲଢ଼ିବାକୁ ଦଳୀୟ ଟିକେଟ ଦେଇଛନ୍ତି।
ପୂଜା କହିଛନ୍ତି, “୨୦୧୭ ଜୁନ୍ ୭ରେ ଯୋଗୀ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ହିନ୍ଦୀ ସ୍ୱରାଜ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ, ଷ୍ଟୁଡେଣ୍ଡ୍ସ ଫେଡରେସନ ଅଫ ଇଣ୍ଡିଆ ଓ ସମାଜବାଦୀ ଛାତ୍ର ସଭା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶିକ୍ଷାର୍ଥୀମାନେ ରାସ୍ତାରେ ବସିବା ସହ ଯୋଗୀଙ୍କ କନଭୟକୁ ଅଟକାଇଥିଲେ। ଏଥିସହ ତାଙ୍କୁ କଳା ପତାକା ଦେଖାଇ ରାଜ୍ୟ ସରକାରଙ୍କ ମନମାନୀ ବିରୋଧରେ ନାରାବାଜୀ କରିଥିଲେ।
ଗୋଟିଏ ଦିନ ପରେ ଆମକୁ ଗିରଫ କରାଯାଇ ଜେଲ ପଠା ଯାଇଥିଲା। ଗଣତନ୍ତ୍ରରେ ବିକ୍ଷୋଭ ପ୍ରଦର୍ଶନର ଅଧିକାର ରହିଛି। ହେଲେ ଆମକୁ ବିକ୍ଷୋଭ ପ୍ରଦର୍ଶନ ପାଇଁ ଗିରଫ କରାଯାଇଥିଲା।” ୨୦ ଦିନ ଜେଲରେ ରହିବା ପରେ ପୂଜା ବାହାରକୁ ଆସିଥିଲେ। ଏହି ସମୟରେ ସେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କୁ ଭେଟିଥିଲେ। ଏଥିସହ ସମାଜବାଦୀ ଛାତ୍ର ସଭାର ଚେହେରା ବନିଥିଲେ। କାହିଁକି ସେ ସମାଜବାଦୀ ପାର୍ଟିକୁ ବାଛିଲେ ବୋଲି ପ୍ରଶ୍ନର ଉତ୍ତରେ ପୂଜା କହିଛନ୍ତି, “ମୁଁ ମୁଲାୟମ ସିଂହ ଯାଦବଙ୍କ ରାଜନୀତିକ ସଂଘର୍ଷ ଓ ଅଖିଲେଶ ଯାଦବଙ୍କ ନୀତି ଦ୍ୱାରା ବେଶ ପ୍ରଭାବିତ ହୋଇଥିଲି।
ଛାତ୍ର ରାଜନୀତିରେ ମୁଁ ସକ୍ରିୟ ରହିଛି। ମୁଁ ଜାଣିଛି ଯେ ସପା ଗଣତନ୍ତ୍ରର ମୂଲ୍ୟବୋଧକୁ ବୁଝେ। ଗଣତନ୍ତ୍ରର ମୂଲ୍ୟବୋଧକୁ ବିଜେପି ଓ ଏହା ସହ ଜଡ଼ିତ ଲୋକମାନେ ବାରମ୍ବାର ଉଲ୍ଲଙ୍ଘନ କରି ଚାଲିଛନ୍ତି।” ଯୋଗୀଙ୍କ ବିରୋଧରେ ବିକ୍ଷୋଭ କରିଥିବାରୁ ୨୦୧୮ରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ପୂଜାଙ୍କୁ ଆଡମିଶନ ପାଇଁ ଅନୁମତି ଦେଇ ନଥିଲା। ଏହା ବିରୋଧରେ ସେ ଆମରଣ ଅନଶନ ଆରମ୍ଭ କରିଥିଲେ। ଶେଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମୁଣ୍ଡ ନୁଆଁଇ ପୂଜା ଓ ଅନ୍ୟ ଶିକ୍ଷାର୍ଥୀଙ୍କୁ ନାଁ ଲେଖାଇବାକୁ ଅନୁମତି ଦେଇଥିଲେ।

























