ଲେଉଟିବ ଶୀତ : ୩ ଦିନରେ ୪ଡିଗ୍ରି ଖସିବ

0
571
ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ
ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ପାଖାପାଖି ୪ ଡିଗ୍ରି ପର୍ଯ୍ୟନ୍ତ ଖସିଯିବ। ଫଳରେ ଶୀତ ବଢ଼ିବ। ଗତ ୪/୫ ଦିନ ହେବ, ରାଜ୍ୟରେ ପଶ୍ଚିମା ଝଡ଼ ଯୋଗୁଁ ପାଗ କୋହଲା ରହିଛି। ଅଧିକାଂଶ ସ୍ଥାନରେ ବର୍ଷା ବି ହୋଇଛି। ଆଉ ୨୪ ଘଣ୍ଟା ସ୍ଥିତି ଏଭଳି ରହିବା ପରେ ପାଗରେ ପରିବର୍ତ୍ତନ ହେବ। ଶୀତ ଲେଉଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି, ଗତ ୨୪ଘଣ୍ଟାରେ ପ୍ରାୟ ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ସର୍ବାଧିକ ବର୍ଷା ରାୟଗଡ଼ା ଜିଲ୍ଲା କୋତ୍ରାଗୁଡ଼ାରେ ୬୫.୬ ମିମି ରେକର୍ଡ ହୋଇଛି। ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନରେ ୬୪.୦ ମିମି, ଗଜପତି ଜିଲ୍ଲା ନୂଆଗଡ଼ରେ ୫୭.୮ ମିମି ଲେଖାଏଁ ବର୍ଷା ହୋଇଥିବା ଜଣାଯାଇଛି। ବର୍ଷା ଯୋଗୁଁ ସର୍ବନିମ୍ନ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି। ସମତଳ ଅଞ୍ଚଳଗୁଡ଼ିକ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଲାଙ୍ଗୀର ଓ ପାରଳାଖେମୁଣ୍ଡିଠାରେ ୧୪.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୧୧ଡିଗ୍ରି ରେକର୍ଡ ହୋଇଛି।

ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନବରଙ୍ଗପୁର ଆଦି ଜିଲ୍ଲା‌ର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୬ତାରିଖରୁ ପାଗରେ ପରିବର୍ତ୍ତନ ଦେଖାଦେବ। ଖରାଟିଆ ଓ ଶୁଖିଲା ରହିବ। ୧୬ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ୧୭ ଓ ୧୮ତାରିଖ ଆଡ଼କୁ ଘନକୁହୁଡ଼ି ହୋଇପାରେ। ୧୭ ତାରିଖ ଦିନ ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ସେହିପରି ୧୮ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ଘଡ଼ କୁହୁଡ଼ି ହେବ ବୋଲି କେନ୍ଦ୍ର କହିଛି। ଏଣୁ ଏହି ଦୁଇଦିନ ପାଇଁ ଏହି ସବୁ ଜିଲ୍ଲାରେ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

Also Read  Two bears in Koraput city; people in fear