ଆଜିଠୁ ଶୀତ ବଢ଼ିବ: କୁହୁଡ଼ି ପଡ଼ିବ

0
1063
ଶୀତ ବଢ଼ିବ : କୁହୁଡ଼ି ପଡ଼ିବ
ଶୀତ ବଢ଼ିବ : କୁହୁଡ଼ି ପଡ଼ିବ

ଭୁବନେଶ୍ବର : ପଶ୍ଚିମା ଝଡ଼ ତଥା ନିମ୍ନ ଚାପରେଖା ଯୋଗୁଁ ଗତ ୯ ତାରିଖରୁ ରାଜ୍ୟରେ ‌ଲାଗି ରହିଥିବା କୋହଲା ପାଗରେ ପରିବର୍ତ୍ତନ ଘଟିଛି। ଆଜିଠାରୁ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ। ଶୀତ ବଢ଼ିବ ଓ କୁହୁଡ଼ି ବି ପଡ଼ିବ। ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।

କେନ୍ଦ୍ର କହିଛି ଯେ ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ଓ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ସର୍ବାଧିକ ବର୍ଷା ଝାରସୁଗୁଡ଼ା ଜିଲ୍ଲା ଲଇକେରାରେ ୪୮.୬ ମିମି ଓ କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ୪୩.୮ ମିମି ରେକର୍ଡ ହୋଇଛି। ସର୍ବନିମ୍ନ ତାପମାତ୍ରା ସମତଳ ଅଞ୍ଚଳଗୁଡ଼ିକ ମଧ୍ୟରେ କେନ୍ଦୁଝରରେ ୧୩.୮ ଡିଗ୍ରି ଓ ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାରିଙ୍ଗବାଡ଼ିରେ ୧୧.୫ ଡିଗ୍ରି ରେକର୍ଡ ହୋଇଥିବା ଜଣାପଡ଼ିଛି। ଏଥିସହ ରାଜଧାନୀ ଭୁବନେଶ୍ବରରେ ରାତି ତାପମାତ୍ରା ୧୬.୪ଡିଗ୍ରି ରେକର୍ଡ ହୋଇଛି। ସାରା ରାଜ୍ୟରେ ଏବେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଆସନ୍ତା ୪ ଦିନରେ ଏଥିରେ ଉଲ୍ଳେଖନୀୟ ପରିବର୍ତ୍ତନ ଦେଖାଯିବ।

କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତାକାଲି ସକାଳେ ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ି ପଡ଼ିବାର ଅଧିକ ସମ୍ଭାବନା ରହିଛି। ୧୭ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ଅନୁଗୁଳର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିଭଳି ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ୧୭ତାରିଖ ଦିନ ଏବଂ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ କେନ୍ଦୁଝରରେ ୧୮ତାରିଖ ଦିନ ଘନକୁହୁଡ଼ି ପଡ଼ିବ। ଏଣୁ ପାଣିପାଗ ବିଭାଗ ଏହି ଦୁଇଦିନ ପାଇଁ ଏହି ସବୁ ଜିଲ୍ଲାରେ ୟେଲୋୱାର୍ଣ୍ଣିଂ ଜାରି କରିଛି।

Also Read  Central Government demands the UC by State for Puri development under PRASAD scheme