ପେଗମ୍ବର ମହମ୍ମଦ ବିବାଦ: ନୂପୁର ଶର୍ମାଙ୍କ ଗିରଫ ଦାବିରେ ଦେଶର ବିଭିନ୍ନ ସହରରେ ନମାଜ ପରେ ବିକ୍ଷୋଭ ପ୍ରଦର୍ଶନ

0
388
protests against objectionable-comments-on-prophet-muhammad

ନୂଆଦିଲ୍ଲୀ: ପେଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ବୟାନକୁ ନେଇ ବଢିଚାଲିଛି ବିବାଦ । ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ଶୁକ୍ରବାର ଦେଶର ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରୟାଗରାଜ, କାନପୁରରେ ଜୁମାରେ ନମାଜ ପରେ ପୋଲିସ ଉପରେ ପଥର ମାଡର ଚିତ୍ର ସାମ୍ନାକୁ ଆସିଛି । ନୂପୁର ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ।

ଲୋକମାନେ ହାତରେ ପୋଷ୍ଟର ଏବଂ ବ୍ୟାନର ଧରି ଦିଲ୍ଲୀର ଜାମା ମସଜିଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମା ଏବଂ ବହିଷ୍କୃତ ନେତା ନବୀନ ଜିନ୍ଦଲଙ୍କୁ ଗିରଫ କରିବାକୁ ଦାବି କରିଛନ୍ତିି।

ଜାମା ମସଜିଦର ଶାହି ଇମାମ କହିଛନ୍ତି ଯେ ମସଜିଦ କମିଟି ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ ପାଇଁ କୌଣସି ଆହ୍ବାନ ଦିଆଯାଇନଥିଲା । ଲୋକମାନେ ସ୍ବତଃ ପ୍ରବୃତ୍ତ ଭାବେ ମହମ୍ମଦଙ୍କ ଅସମ୍ମାନ ବିରୋଧରେ ବିକ୍ଷୋଭ କରିଛନ୍ତି ।

ଏହାଛଡ଼ା ଉତ୍ତରପ୍ରଦେଶର ଦେଓବନ୍ଦରେ ପୋଲିସ ବିକ୍ଷୋଭ ପ୍ରଦର୍ଶନକୁ ଅନୁମତି ଦେଇନାହିଁ । ତେବେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ସାହାରନପୁରର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କିଛି ଲୋକ ନିଜ ହାତରେ ବ୍ୟାନର ସହିତ ତ୍ରିରଙ୍ଗା ମଧ୍ୟ ଧରିଥିବା ଦେଖିବାକୁ ମିଳିଥିଲା । ଏଥିସହ କୋଲକାତା, ହାଇଦ୍ରାବାଦ, ଲକ୍ଷ୍ନୌ, ଲୁଧିଆନାରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇ ମହମ୍ମଦଙ୍କ ଉପରେ ଟିପ୍ପଣୀକୁ ବିରୋଧ କରିଛନ୍ତି। ଲକ୍ଷ୍ନୌର ମାଉଣ୍ଡ ମସଜିଦ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡ୍ରୋନ୍ ଦ୍ବାରା ପୋଲିସ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିଛି।

ଉଲ୍ଲେଖଯୋଗ୍ୟ, ନୂପୁର ଶର୍ମା ଏକ ଟିଭି ବିତର୍କରେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏପରିକି ଆରବ ଦେଶଗୁଡ଼ିକ ମଧ୍ୟ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନିନ୍ଦା କରି ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରିଥିଲେ। ଏହା ଏକ ଅନ୍ତର୍ଜାତୀୟ ବିବାଦ ପାଲଟିବା ପରେ ବିଜେପି ନୁପୂର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ନବୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ଦଳରୁ ବହିଷ୍କୃତ କରାଯାଇଥିଲା ।

Also Read  Cabinet approves Bilateral Technical Arrangement between India and Switzerland on the identification and return of Swiss and Indian Nationals