ଶ୍ରୀମନ୍ଦିର ବଜେଟ୍ ୧୯୦.୨୬ କୋଟି ଟଙ୍କା

0
805
ଶ୍ରୀମନ୍ଦିର
ଶ୍ରୀମନ୍ଦିର
ପୁରୀ : ଶ୍ରୀମନ୍ଦିର ଲାଗି ୨୦୨୧-୨୨ ଆର୍ଥିକ ବର୍ଷରେ ୧୯୦.୨୬ ‌କୋଟି ଟଙ୍କାର ବଜେଟ୍‌କୁ ଅନୁମୋଦନ ମିଳିଛି। ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତ୍ତି ନିଅଯାଇଛି। ମହାରାଜା ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣିରୁ ୧ ‌କୋଟି, ବ୍ୟାଙ୍କ ସୁଧରୁ ୩୬ କୋଟି ଓ ହୁଣ୍ଡି ୬‌ କୋଟି ଟଙ୍କାର ବଜେଟ ରଖାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି ସାମଗ୍ରୀର ମାନ ଓ ପରିମାଣ ବୃଦ୍ଧି ହେବ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି।

ପୁରୀ ସହରର ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ କରାଯାଇଛି। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ସେହିପରି ସୂର୍ଯ୍ୟ ମନ୍ଦିର ଦ୍ୱାରର ହେବ ରୁପା ଛାଉଣୀ। ଜଣେ ଦାତାଙ୍କ ଦ୍ୱାରା ଏହି ରୁପା ଛାଉଣୀ କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀମାନଙ୍କ ପାଇଁ ଭିନ୍ନ ଭିନ୍ନ ଡ୍ରେସ କୋଡ୍‌ କରିବାକୁ ନିଷ୍ପତ୍ତି ହୋଇଛି। କେଉଁ ଭଳି ଡ୍ରେସ୍‌ କୋଡ୍‌ ଲାଗୁ ହେବ ସେ ନେଇ ବିଚାର ବିମର୍ଶ କରାଯାଉଛି। ସେବାୟତଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଏକ ଘରୋଇ ହସ୍ପିଟାଲ ସହିତ ବୁଝାମଣା କରାଯିବାକୁ ନିଷ୍ପତ୍ତି ହୋଇଛି।

ରଥଯାତ୍ରାରେ ୧୨ କୋଟି ୭୨ ଲକ୍ଷ ଟଙ୍କା, ପାଳିଆ ପୁରସ୍କାରରେ ୧୫ କୋଟି, ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ୨୧ କୋଟି ଟଙ୍କା ବିନିଯୋଗ କରାଯାଇଛି। ଆସନ୍ତାବର୍ଷ ଖଣିରୁ ପ୍ରାୟ ୭୦ କୋଟି ଟଙ୍କା ଆୟର ଲକ୍ଷ୍ୟ ରଖାଯାଇଛି। ତେବେ ଶ୍ରୀମନ୍ଦିର ଲାଗିଥିବା ଖଣ୍ତାଲାଇଟ୍‌ ପଥର ଆମଦାନୀ ପାଇଁ ଓଏମ୍‌ସି ସହିତ ଚୁକ୍ତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି।

ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କନୱର ବିଶାଳ ସିଂଙ୍କ ସହ ପରିଚାଳନା କମିଟିର ସଦସ୍ୟମାନେ ଭାଗ ନେଇଥିଲେ।

Also Read  Interest rates to come down as FM proposes overseas borrowings (Lead)