ନୂଆଦିଲ୍ଲୀ: ଗୋଟିଏ ଭାଇ ଦେଶ ପାଇଁ ସହିଦ ହୋଇଛି ସତ ହେଲେ ଭଉଣୀକୁ ମିଳିଯାଇଛନ୍ତି ଅନେକ ବୀର ଭାଇ । ଏହାର ଝଲକ ଦେଖିବାକୁ ମିଳିଛି ରାୟବରେଲି ଇଲାକାର ଏକ ବିବାହ ଉତ୍ସବରେ ।
ରାୟବରେଲିର ବୀର ପୁତ୍ର ସହିଦ ଶୈଳେନ୍ଦ୍ର ପ୍ରତାପ ସିଂହଙ୍କ ଭଉଣୀ ଜ୍ୟୋତି ସିଂହଙ୍କ ବିବାହ କରାଇଛନ୍ତି ସାଥୀ ସୈନିକମାନେ । ଜ୍ୟୋତିଙ୍କ ବିବାହ କାର୍ଯ୍ୟକ୍ରମରେ ସେମାନଙ୍କର ଉପସ୍ଥିତି କିଛି ସମୟ ସମସ୍ତଙ୍କୁ ବବିହ୍ୱଳ କରିପକାଇଥିଲା । ଏଥିରେ ଯୋଗ ଦେଇଥିଲେ ସହିଦ ଶୈଳେନ୍ଦ୍ର ସିଂହଙ୍କ ସହକର୍ମୀ ତଥା ସିଆର୍ପିଏଫ୍ର ଯବାନମାନେ । ଆକସ୍ମିକ ଭାବେ ସହିଦଙ୍କ ଭଉଣୀ ଜ୍ୟୋତିଙ୍କ ବିବାହ ଅନୁଷ୍ପଠାନରେ ହଞ୍ଚିଥି ସାଥୀ ଯବାନମାନେ ସବୁ ରୀତିକୁ ନିଜ ଭାଇ ଭଳି ସମ୍ଭାଳିଥିଲେ । ଆପଣାର ଭାଇ ଭଳି ଆଶୀର୍ବାଦ ଦେଇ ତାଙ୍କୁ ବିବାହ ବେଦୀ ପର୍ଯ୍ୟନ୍ତ ନେଇଯାଇଥିଲେ ।
କେବଳ ଏତିକି ନୁହେଁ, ବୀର ପୁଅକୁ ହରାଇଥିବା ବାପାଙ୍କୁ ମିଳିଯାଇଥିଲେ ଅନେକ ବୀର ପୁତ୍ର । ଏପରି ଦୃଶ୍ୟ ଦେଖି ବାସ୍ତବରେ ଉପସ୍ଥିତ ସମସ୍ତଙ୍କ ଆଖିରେ ଭରିଆସିଥିଲା ଲୁହ । ଭଉଣୀ ଯେପରି ନିଜ ଭାଇର ଅଭାବ ଅନୁଭବ ନ କରେ, ବାପା ଯେପରି ନିଜ ପୁଅର ଅଭାବକୁ ଅନୁଭବ ନ କରିନ୍ତି, ସେଥିପାଇଁ ସଚେତନ ହୋଇଯାଇଥିଲେ ସହିଦ ଶୈଳେନ୍ଦ୍ରଙ୍କ ସାଥୀମାନେ । ଆଉ ତୁରନ୍ତ ପହଞ୍ଚିଯାଇଥିଲେ ଜ୍ୟୋତିଙ୍କ ବିବାହରେ । ଆରମ୍ଭରୁ ଶେଷ ଯାଏଁ ରହି ଭଉଣୀକୁ ବିଦାୟୀ ଦେଇଥିଲେ ଏହି ସାଥୀ ଯବାନମାନେ, ଯାହା ବାସ୍ତବରେ ଏକ ମିଶାଲ କହିଲେ ଭୁଲ୍ ହେବ ନାହିଁ ।