ସାନଖେମୁଣ୍ଡି ରାଜା ତଥା ମୋହନାର ପୂର୍ବତନ ବିଧାୟକ ଡକ୍ଟର ଉଦୟ ନାରାୟଣ ଦେବଙ୍କ ପରଲୋକ

0
622

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ରାଜା ତଥା ମୋହନାର ପୂର୍ବତନ ବିଧାୟକ ଡକ୍ଟର ଉଦୟ ନାରାୟଣ ଦେବଙ୍କ ପରଲୋକ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୋକବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି କାମନା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

ତାଙ୍କର ଅନ୍ତିମ ସଂସ୍କାର ସାନଖେମୁଣ୍ଡି ରାଜଉଆସରେ କରାଯିବାର ସୂଚନା ମିଳିଛି। ତାଙ୍କର ଏକ ମାତ୍ର ପୁଅ ବୀର କିଶୋର ଦେବ ଜୀବିତ ଅଛନ୍ତି। ସେ ଏଥର ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ଡକ୍ଟର ଉଦୟ ନାରାୟଣ ଦେବଙ୍କ ପତ୍ନୀଙ୍କର ବହୁ ପୂର୍ବରୁ ପରଲୋକ ହୋଇଛି।

ସୂଚନାଯୋଗ୍ୟ, ଉଦୟ ନାରାୟଣ ଦେବ ମୋହନା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଜଣେ ବିହଙ୍ଗ ବିଶେଷଜ୍ଞ ଭାବେ ବି ପରିଚିତ ଥିଲେ। କିଛି ଦିନ ତଳେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କ ରଚିତ ପୁସ୍ତକ ‘ବିହଙ୍ଗ ସଂହିତା’ ପୁସ୍ତକର ଉନ୍ମୋଚନ କରିଥିଲେ। ଉଦୟ ନାରାୟଣ ଦେବଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Also Read  Odisha recorded highest share of non-tax revenue at 49 per cent in 2023-24: Economic Survey