ଭୁବନେଶ୍ୱର: ଦୀର୍ଘ ଦିନ ଧରି ଜାରି ରହିଥିବା କଳ୍ପନଜଳ୍ପନା ଅନ୍ତ ଘଟିଛି । ତିନି ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ବର ପାଇଁ ସୁଲୋଚନା ଦାସ, କଟକ ପାଇଁ ସୁବାସ ସିଂହ ଓ ବ୍ରହ୍ମପୁର ଲାଗି ସଂଘମିତ୍ରା ଦଳେଇଙ୍କ ନାମ ଘୋଷିତ ହୋଇଛି।
ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି । ସେହିପରି ଭାବରେ କଟକ ମହାନଗର ନିଗମ ପାଇଁ ସୁବାସ ସିଂଙ୍କ ନାମ ଘୋଷଣା ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ତେବେ ଚଳିତ ଥର ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମରେ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା ।
ସୂଚନା ଅନୁସାରେ ମାର୍ଚ୍ଚ ୨୪ରେ ରାଜ୍ୟର ୩ ମହାନଗର ନିଗମ ସହ ସମସ୍ତ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମାର୍ଚ୍ଚ ୨ରୁ ଆରମ୍ଭ ହୋଇସାରିଛି ନାମାଙ୍କନ ପତ୍ର ଦାଖଲ । ବିଏମସିର ମେୟର ପ୍ରାର୍ଥୀଙ୍କୁ ନେଇ ୩ ରାଜନୈତିକ ଦଳ ଭିତରେ ଛକାପଞ୍ଝା ଚାଲିଥିବା ବେଳେ କଂଗ୍ରେସ ଗତକାଲି ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଭୁବନେଶ୍ବର ମେୟର ପ୍ରାର୍ଥୀ କରିଛି କଂଗ୍ରେସ। ଏମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍ ଓ ଓଡ଼ିଶା ନୃତ୍ୟଶିଳ୍ପୀ । ଏବେ ଅପେକ୍ଷା ବିଜେପି କାହାକୁ ଭୁବନେଶ୍ବର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ କରୁଛି।