୨୪ ଯାଏ ବର୍ଷା, କମିବ ଶୀତ

0
497
Odisha Weather: Deep Depression To Move Towards North Madhya Pradesh And Weaken
Odisha Weather: Deep Depression To Move Towards North Madhya Pradesh And Weaken

ଭୁବନେଶ୍ବର : ଆଜିଠାରୁ ରାଜ୍ୟର ପାଗରେ ବିଶେଷ ପରିବର୍ତ୍ତନ ଦେଖାଯିବ। ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଶୀତ କମିଯିବ। ଆସନ୍ତାକାଲି ଉପକୂଳ ଓଡ଼ିଶାର ଜିଲ୍ଲା ଯଥା କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

୨୨ ତାରିଖ ଦିନ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ଦେବଗଡ଼ ଆଦି ମୁଖ୍ୟତଃ ଉତ୍ତର ଆଭ୍ୟନ୍ତର ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୨୩ ତାରିଖ ଆଡ଼କୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟମଧରଣର ବର୍ଷା ହୋଇପାରେ। ଏଣୁ ଏହି ୬ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ୨୪ ତାରିଖ ଦିନ ମଧ୍ୟ ରାଜ୍ୟର କିଛି କିଛି ଜିଲ୍ଲା ବିଶେଷକରି ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ଓ ଖରାଟିଆ ରହିଥିଲା। କିଛି କିଛି ସ୍ଥାନରେ କୁହୁଡ଼ି ବି ପଡ଼ିଛି। କନ୍ଧମାଳ, କଟକ, ଅନୁଗୁଳ, ଗଜପତି, କଳାହାଣ୍ଡି ଓ ମାଲକାନଗିରି ଆଦି ଜିଲ୍ଲାର କେତେକ ସ୍ଥାନରେ କୁହୁଡ଼ି ପଡ଼ିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ରେକର୍ଡ ହୋଇଛି। ସର୍ବନିମ୍ନ ତାପମାତ୍ରା ଗତ ୨୪ ଘଣ୍ଟାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ଟି ସ୍ଥାନରେ ୧୦ ଡିଗ୍ରି ତଳକୁ ରହିଛି। ଫୁଲବାଣୀଠାରେ ରାତ୍ରି ତାପମାତ୍ରା ୯.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କିରେଇଠାରେ ୮.୦ ଡିଗ୍ରି, କେନ୍ଦୁଝର ୯.୮ ଡିଗ୍ରି, ଝାରସୁଗୁଡ଼ା ୯.୬ ଡିଗ୍ରି, ଦାରିଙ୍ଗବାଡ଼ିରେ ୯.୫ ଓ ଶିମିଳିଗୁଡ଼ାରେ ୯.୧ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରରେ ୧୩.୮ ଡିଗ୍ରି ରେକର୍ଡ ହୋଇଛି, ଯାହାକି ସର୍ବନିମ୍ନ ସ୍ବାଭାବିକ ତାପମାତ୍ରାଠାରୁ ୨ ଡିଗ୍ରି କମ୍। ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।

Also Read  BJP creates ruckus for farmer suicide in Odisha, house adjourned twice in a day