ବିଜେଡିର ପ୍ରତିଷ୍ଠା ଦିବସ ଲାଗି ଏସଆରସିଙ୍କ କୋଭିଡ କଟକଣାକୁ ବଦଳାଇ ଦିଆଯାଇଛି : ବିଜେପି

0
585

ଭୁବନେଶ୍ବର:  ବିଜେଡିର ପ୍ରତିଷ୍ଠା ଦିବସ ୨୬ ତାରିଖରେ ପାଳନ କାର୍ଯ୍ୟକ୍ରମ ଥିବାରୁ କୋଭିଡ ନିୟମକୁ ବଦଳାଇ ଦିଆଯାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଆସନ୍ତାକାଲି ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ। ରାଜ୍ୟର ସମସ୍ତ ୩୧୪ ବ୍ଲକ, ୧୧୧ ପୌରାଂଚଳ, ୪ଟି ମହାନଗର ନିଗମରେ ବଡ଼ ଧରଣର ଆୟୋଜନ କରିଛି ଦଳ। ଆଗକୁ ପଂଚାୟତ ଓ ପୌରା ନିର୍ବାଚନ ଥିବାରୁ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରୁଛି ଶାସକ ଦଳ।

ବିଜେପି ଅଭିଯୋଗ କରିଛି ଦଳୀୟ କାର୍ଯ୍ୟକ୍ରମ ପାଇଁ ଘୋଷଣାର କିଛି ସମୟ ମଧ୍ୟରେ ବଦଳିଯାଇଛି କୋଭିଡ କଟକଣା ତାରିଖ।
ଓମିକ୍ରନ ସଂକ୍ରମଣ ବଢ଼ି ଚାଲିଥିବାରୁ ବଡ଼ଦିନ ଓ ନୂଆବର୍ଷ ଉତ୍ସବ ପାଳନ ଉପରେ ସରକାର କଟକଣା ଲଗାଇଛନ୍ତି। ପ୍ରଥମ ନିର୍ଦ୍ଦେଶାବଳୀରେ କୁହାଯାଇଥିଲା ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ। ଭିଡ଼ ନିୟନ୍ତ୍ରଣ ପାଇଁ ରାଲି ସାମାଜିକ ଓ ସାସ୍କୃତିକ ସମାବେଶ ଉପରେ କଟକଣା ଲଗାଯାଇଥିଲା। ହେଲେ ଏହାର କିଛି ଘଣ୍ଟା ପରେ ଏସଆରସିଙ୍କ ପକ୍ଷରୁ ଆଉ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା।

ଏଥିରେ କୁହାଯାଇଛି ୨୫ ତାରିଖ ଏବଂ ୩୧ ତାରିଖରୁ ୨ ତାରିଖ ଯାଏଁ ଏହି କଟକଣା ରହିବ। ଅର୍ଥାତ ନୂଆ ନିର୍ଦ୍ଦେଶାବଳୀରେ ୨୬, ୨୭, ୨୮,୨୯,ଓ ୩୦ ତାରିଖକୁ ବାଦ ଦିଆଯାଇଛି। ବିଜେପି ଅଭିଯୋଗ କରିଛି ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କାର୍ଯକ୍ରମ ଥିବାରୁ ନିୟମକୁ ବଦଳାଇ ଦିଆଯାଇଛି। ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଦେଶବ୍ୟାପି ସୁଶାସନ ଦିବସ ପାଳନ କରାଯାଉଥିଲେ ସୁଦ୍ଧା କଟକଣାକୁ କୋହଳ କରାଯାଇ ନାହିଁ।

Also Read  Awareness programme on TB held in Puri, Odisha conducted by Sudarshan Patnaik on World TB Day