‌ଦୋଷୀ ସାବ୍ୟସ୍ତ ହେବା ପରେ ଚାକିରିରୁ ବରଖାସ୍ତ ହେଲେ ଆଇଏଏସ ବିନୋଦ କୁମାର

0
842

ଭୁବନେଶ୍ବର: ‌ଦୋଷୀ ସାବ୍ୟସ୍ତ ହେବା ପରେ ଚାକିରିରୁ ବରଖାସ୍ତ ହେଲେ ବରିଷ୍ଠ ଆଇଏଏସ ଅଫିସର ବିନୋଦ କୁମାର।  ଏନେଇ ଅଭିଯୋଗ କରାଯାଇଥିବା ବେଳେ ଏବେ ଏହା ପ୍ରମାଣ ହେବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଶ୍ରୀ କୁମାରଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଶ୍ରୀ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ ବିଭିନ୍ନ ନକଲି କମ୍ପାନି ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁର କରିଥିଲେ, ଯାହାଦ୍ବାରା ରାଜ୍ୟ ସରକାରଙ୍କର ବିପୁଳ ଆର୍ଥିକ କ୍ଷତି ହୋଇଥିଲା । ସେଥିପାଇଁ ଶ୍ରୀ କୁମାରଙ୍କ ବିରୋଧରେ ଓଡ଼ିଶା ସରକାର ୨୭ଟି ଭିଜିଲାନ୍‌ସ ମାମଲା ଦାୟର କରିଥିଲେ । ତନ୍ମଧ୍ୟରୁ ଦୁଇଟି ମାମଲାରେ ଶ୍ରୀ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଆସିଛନ୍ତି । ଦୁର୍ନୀତି କରିଥିବା ବ୍ୟକ୍ତିମାନେ ଯେତେ ଉଚ୍ଚ ପଦପଦବୀରେ ଥାନ୍ତୁ ନା କାହିଁକି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ବଦ୍ଧପରିକର । କିଛି ଦିନ ତଳେ ଦୁର୍ନୀତି ଅଭିଯୋଗରେ ସର୍ଵ ଭାରତୀୟ ସେବାର ଜଣେ ବରିଷ୍ଠ ଜଙ୍ଗଲ ସେବା ଅଧିକାରୀଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରାଯାଇଥିଲା।

Also Read  Plus II results for Arts and Commerce out today