ଓକାକ୍‌ ସିଇଓଙ୍କ ହ୍ୱାଟସ୍ଆପ୍ ହ୍ୟାକ୍‌ : ବନ୍ଧୁବାନ୍ଧବଙ୍କଠାରୁ ୭ ଲକ୍ଷ ଲୁଟ୍‌

0
312
ଓକାକ୍‌ ସିଇଓଙ୍କ ହ୍ୱାଟସ୍ଆପ୍ ହ୍ୟାକ୍‌
ଓକାକ୍‌ ସିଇଓଙ୍କ ହ୍ୱାଟସ୍ଆପ୍ ହ୍ୟାକ୍‌

ଭୁବନେଶ୍ୱର: ଫୋନ୍‌କୁ ଆସି ନ ଥିଲା କୌଣସି ଲିଙ୍କ୍‌ । ତଥାପି ହ୍ୟାକ୍‌ ହୋଇଗଲା ହ୍ୱାଟସ୍ଆପ୍ । ଏପରିକି ସାଙ୍ଗ ଓ ବନ୍ଧୁବାନ୍ଧବଙ୍କ ମୋବାଇଲକୁ ମେସେଜ ଯାଇ ଶରୀର ଅସୁସ୍ଥ ଥିବାରୁ ଟଙ୍କା ମଧ୍ୟ ମଗାଗଲା। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ)ର ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍ସଆପ୍ ନମ୍ବର ହ୍ୟାକ୍ ହୋଇଛି। ନମ୍ବର ହ୍ୟାକ୍ କରି ୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଥିବାର ଖବର ମିଳିଛି। ଏନେଇ ଭୁବନେଶ୍ୱରର ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।

ମନୋଜଙ୍କର ହ୍ୱାଟସ୍ଆପ୍ ହ୍ୟାକ କରି ତାଙ୍କ ସାଙ୍ଗ ଓ ସଂପର୍କୀୟଙ୍କୁ ଟଙ୍କା ମାଗିଥିଲା ସାଇବର ଲୁଟେରା । ମନୋଜଙ୍କ ମୋବାଇଲରୁ ମେସେଜ ଆସିଥିବାରୁ ଏହାକୁ ସତ ଭାବି ୫ ଜଣ ୭ ଲକ୍ଷ ଟଙ୍କା ଦେଇଛନ୍ତି। ସେମାନେ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇରେ ଟଙ୍କା ଦେଇଛନ୍ତି । ସତ ପଦାକୁ ଆସିବା ପରେ ଏ ସଂପର୍କରେ ସେମାନେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଛନ୍ତି । ସେ ନିଜେ ମଧ୍ୟ ଥାନାରେ ଏତଲା ଦେବେ ବୋଲି କହିଛନ୍ତି ମନୋଜ ପଟ୍ଟନାୟକ ।

mp

ଗତକାଲି ଏକ ଅଜଣା ନମ୍ବରରୁ ତାଙ୍କୁ କଲ୍ ଆସିଥିଲା । ଆର ପଟୁ କେହି କିଛି ନ କହିବାରୁ ୩୦ ସେକେଣ୍ଡ ପରେ ସେ କଲ୍ କାଟିଦେଇଥିଲେ । ଏହାର କିଛି ସମୟ ପରେ ଜଣେ ସାଙ୍ଗ ଫୋନ୍ କରି ପଚାରିଲେ ଯେ, ମନୋଜଙ୍କ ସ୍ୱାସ୍ଥ୍ୟ କେମିତି ଅଛି । ଏହା ସହିତ ଟଙ୍କା ମାଗିବାର ମେସେଜ୍ ଆସିଥିବା ସେ କହିଥିଲେ ।

ଏହା ପରେ ଫୋନ୍ ହ୍ୟାକ୍‌ ହୋଇଥିବା ସେ ଜାଣିଲେ । ଏହା ପରେ ଆଉ କେତେକ ସାଙ୍ଗ ଓ ସଂପର୍କୀୟଙ୍କ ଫୋନ୍ ଆସିଥିଲା । ସେମାନଙ୍କ ନିକଟକୁ ଟଙ୍କା ମାଗିବାର ମେସେଜ ଆସିଥିବା କହିଲେ । ତାଙ୍କ ଅଫିସ୍‌ର କିଛି ଷ୍ଟାଫ୍ ମଧ୍ୟ ଟଙ୍କା ଦେଇଛନ୍ତି । ଏବେ ବି ନିଜ ଫୋନ୍‌ରେ ହ୍ୱାଟସ୍ଆପ୍ ଇନ୍‌ଷ୍ଟଲ କରିପାରିନାହାନ୍ତି ମନୋଜ ପଟ୍ଟନାୟକ ।କୌଣସି ଲିଙ୍କରେ କ୍ଲିକ କରି ନାହାନ୍ତି । ତା ସତ୍ତ୍ୱେ ଦୁର୍ବୃତ୍ତ କିପରି ହ୍ୟାକ୍ କଲା ବୋଲି ଆଶ୍ଚର୍ଯ୍ୟ ହୋଇଛନ୍ତି ସେ।

ରାଜ୍ୟରେ ସାଇବର କ୍ରାଇମ୍‌କୁ ଧରିବାକୁ ବହୁ ପଦକ୍ଷେପ ନିଆଯାଉଛି। ହେଲେ ଓକାକ୍‌ର ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବଙ୍କ ଫୋନ୍‌ ଯଦି ହ୍ୟାକ୍‌ ହୋଇପାରୁଛି, ତେବେ ସାଧାରଣ ଲୋକ କିପରି ସାଇବର ଲୁଟେରାଙ୍କ କବଳରୁ ନିଜ ଅର୍ଥକୁ ସୁରକ୍ଷିତ ରଖିପାରିବେ ତାକୁ ନେଇ ଦେଖାଦେଲାଣି ଚିନ୍ତା।

Also Read  Devotees throng Puri to have darshan of the Holy Trinity on the occasion of Panchuka