ଭୁବନେଶ୍ୱର: ଫୋନ୍କୁ ଆସି ନ ଥିଲା କୌଣସି ଲିଙ୍କ୍ । ତଥାପି ହ୍ୟାକ୍ ହୋଇଗଲା ହ୍ୱାଟସ୍ଆପ୍ । ଏପରିକି ସାଙ୍ଗ ଓ ବନ୍ଧୁବାନ୍ଧବଙ୍କ ମୋବାଇଲକୁ ମେସେଜ ଯାଇ ଶରୀର ଅସୁସ୍ଥ ଥିବାରୁ ଟଙ୍କା ମଧ୍ୟ ମଗାଗଲା। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ)ର ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍ସଆପ୍ ନମ୍ବର ହ୍ୟାକ୍ ହୋଇଛି। ନମ୍ବର ହ୍ୟାକ୍ କରି ୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଥିବାର ଖବର ମିଳିଛି। ଏନେଇ ଭୁବନେଶ୍ୱରର ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।
ମନୋଜଙ୍କର ହ୍ୱାଟସ୍ଆପ୍ ହ୍ୟାକ କରି ତାଙ୍କ ସାଙ୍ଗ ଓ ସଂପର୍କୀୟଙ୍କୁ ଟଙ୍କା ମାଗିଥିଲା ସାଇବର ଲୁଟେରା । ମନୋଜଙ୍କ ମୋବାଇଲରୁ ମେସେଜ ଆସିଥିବାରୁ ଏହାକୁ ସତ ଭାବି ୫ ଜଣ ୭ ଲକ୍ଷ ଟଙ୍କା ଦେଇଛନ୍ତି। ସେମାନେ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇରେ ଟଙ୍କା ଦେଇଛନ୍ତି । ସତ ପଦାକୁ ଆସିବା ପରେ ଏ ସଂପର୍କରେ ସେମାନେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଛନ୍ତି । ସେ ନିଜେ ମଧ୍ୟ ଥାନାରେ ଏତଲା ଦେବେ ବୋଲି କହିଛନ୍ତି ମନୋଜ ପଟ୍ଟନାୟକ ।
ଗତକାଲି ଏକ ଅଜଣା ନମ୍ବରରୁ ତାଙ୍କୁ କଲ୍ ଆସିଥିଲା । ଆର ପଟୁ କେହି କିଛି ନ କହିବାରୁ ୩୦ ସେକେଣ୍ଡ ପରେ ସେ କଲ୍ କାଟିଦେଇଥିଲେ । ଏହାର କିଛି ସମୟ ପରେ ଜଣେ ସାଙ୍ଗ ଫୋନ୍ କରି ପଚାରିଲେ ଯେ, ମନୋଜଙ୍କ ସ୍ୱାସ୍ଥ୍ୟ କେମିତି ଅଛି । ଏହା ସହିତ ଟଙ୍କା ମାଗିବାର ମେସେଜ୍ ଆସିଥିବା ସେ କହିଥିଲେ ।
ଏହା ପରେ ଫୋନ୍ ହ୍ୟାକ୍ ହୋଇଥିବା ସେ ଜାଣିଲେ । ଏହା ପରେ ଆଉ କେତେକ ସାଙ୍ଗ ଓ ସଂପର୍କୀୟଙ୍କ ଫୋନ୍ ଆସିଥିଲା । ସେମାନଙ୍କ ନିକଟକୁ ଟଙ୍କା ମାଗିବାର ମେସେଜ ଆସିଥିବା କହିଲେ । ତାଙ୍କ ଅଫିସ୍ର କିଛି ଷ୍ଟାଫ୍ ମଧ୍ୟ ଟଙ୍କା ଦେଇଛନ୍ତି । ଏବେ ବି ନିଜ ଫୋନ୍ରେ ହ୍ୱାଟସ୍ଆପ୍ ଇନ୍ଷ୍ଟଲ କରିପାରିନାହାନ୍ତି ମନୋଜ ପଟ୍ଟନାୟକ ।କୌଣସି ଲିଙ୍କରେ କ୍ଲିକ କରି ନାହାନ୍ତି । ତା ସତ୍ତ୍ୱେ ଦୁର୍ବୃତ୍ତ କିପରି ହ୍ୟାକ୍ କଲା ବୋଲି ଆଶ୍ଚର୍ଯ୍ୟ ହୋଇଛନ୍ତି ସେ।
ରାଜ୍ୟରେ ସାଇବର କ୍ରାଇମ୍କୁ ଧରିବାକୁ ବହୁ ପଦକ୍ଷେପ ନିଆଯାଉଛି। ହେଲେ ଓକାକ୍ର ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବଙ୍କ ଫୋନ୍ ଯଦି ହ୍ୟାକ୍ ହୋଇପାରୁଛି, ତେବେ ସାଧାରଣ ଲୋକ କିପରି ସାଇବର ଲୁଟେରାଙ୍କ କବଳରୁ ନିଜ ଅର୍ଥକୁ ସୁରକ୍ଷିତ ରଖିପାରିବେ ତାକୁ ନେଇ ଦେଖାଦେଲାଣି ଚିନ୍ତା।