ଅନ୍ୟ ଦେଶରେ ବଢ଼ୁଛି ସଂକ୍ରମଣ : କରୋନାକୁ ଲୋକେ ଡରିବା ଦରକାର

0
310
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର: କରୋନା ପ୍ରତି ଲୋକଙ୍କ ଡର ରହିବା ଆବଶ୍ୟକ। କାରଣ ଅନେକ ଦେଶରେ କମ୍‌ ଟିକାକରଣ ଏବଂ ଲୋକଙ୍କ ଭିଡ଼ ପାଇଁ ସଂକ୍ରମଣ ବଢୁଛି। ରାଜ୍ୟରେ କରୋନା ସଂକ୍ରମଣ କମ ରହିଥିଲେ ମଧ୍ୟ ବିଦେଶରେ ସଂକ୍ରମଣ ପୁଣି ବଢ଼ିବା ଆରମ୍ଭ କାଲାଣି। କରୋନା ଆରମ୍ଭ ବେଳେ ଚୀନ ଓ ୟୁରୋପ ଦେଶଗୁଡ଼ିକରେ ସଂକ୍ରମଣ ବ୍ୟାପିବା ପରେ ଭୂତାଣୁ ଭାରତ ଆସିଥିଲା। ଏଣୁ ପୁଣି ସ୍ଥିତି ବିଗିଡ଼ିବା ପୂର୍ବରୁ ସମସ୍ତେ ସଚେତନ ହେବା ସହ ସମାଜରେ କରୋନା ପ୍ରତି ଡର ରହିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

ବିଦେଶରେ କରୋନା ସଂକ୍ରମଣ ବଢିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ମହାପାତ୍ର କହିଛନ୍ତି, ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସର୍ଭେଲାନ୍ସ କଡ଼ାକଡ଼ି ସହ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। କରୋନା ନିୟମ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ଲୋକଙ୍କୁ ସରକାର ସଚେତନ କରୁଛନ୍ତି। ସମସ୍ତେ କରୋନା ଟିକାର ଦୁଇଟି ଡୋଜ ନିଅନ୍ତୁ। ଯଦି କୌଣସି କାରଣରୁ କିଛି ଲକ୍ଷଣ ଦେଖାଯାଏ ତେବେ ଟେଷ୍ଟ କରନ୍ତୁ। ଏହାଦ୍ୱାରା ନିଜେ ସୁରକ୍ଷିତ ରହିବା ସହ ଚାରି ପାଖରେ ଥିବା ଲୋକଙ୍କୁ ସୁରକ୍ଷିତ ରଖିପାରିବା ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

ରାଜ୍ୟରେ ୧୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୩୫ ଜଣ ଥିବାବେଳେ ୧୦୯ ଜଣ ସଙ୍ଗରୋଧରୁ ଓ ୭୬ ଜଣ ସ୍ଥାନୀୟ ସଂକ୍ରମଣରୁ ବୋଲି ଜଣାପଡିଛି । ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬, କଟକରୁ ୧୪, ସମ୍ବଲପୁରରୁ ୧୮, ମୟୁରଭଞ୍ଜରୁ ୧୨, ଷ୍ଟେଟପୁଲରୁ ୧୮ ଜଣ ରହିଛନ୍ତି।

ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୬୫୬ ହୋଇଥିଵାବେଳେ ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୩୪ ହଜାର ୫୦୫ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୨୭୧୯ଟି ସକ୍ରିୟ ମାମଲା ରହିଛି । ସେହିପରି ଆଜି ରାଜ୍ୟରେ କରୋନା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଭୁବନେଶ୍ୱରର ୬୬ ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ ଖୋର୍ଦ୍ଧାର ୫୯ ବର୍ଷୀୟ ପୁରୁଷ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Also Read  Triple Murder in Jharsuguda: One more body recovered