ପିଲାଙ୍କ ଖୁସିରେ ମୁଁ ଖୁସି , ଦୁଇ ବର୍ଷ ପରେ ସ୍କୁଲ ଘଣ୍ଟି ବାଜିଛି : ମୁଖ୍ୟମନ୍ତ୍ରୀ

0
305
ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ଆମ ସମସ୍ତଙ୍କ ପାଇଁ ଐତିହାସିକ ଦିନ। ପ୍ରାୟ ଦୁଇ ବର୍ଷ ପରେ ଆଜି ସ୍କୁଲ ଘଣ୍ଟା ବାଜିଛି। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାର୍ତ୍ତା ଦେଇଛନ୍ତି। ପିଲାମାନେ ଆଜି ସ୍କୁଲ ଗଲେ। ମହାପ୍ରଭୁଙ୍କ ଆଶୀର୍ବାଦ, ଆପଣମାନଙ୍କ ସହଯୋଗ ଓ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏହା ସମ୍ଭବ ହୋଇପାରିଛି। ଗତ ଦୁଇ ବର୍ଷ ହେଲା କରୋନା ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ସ୍କୁଲ ଖୋଲିବା ହେଉଛି, ସ୍ୱାଭାବିକ ଅବସ୍ଥା ଫେରିବାର ଶୁଭ ସୂଚନା ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତଙ୍କ ସହଯୋଗରେ ଆମେ କରୋନାର ମୁକାବିଲା କରିପାରିଛୁ। ପ୍ରତି ଶହେ ବର୍ଷରେ ଥରେ ଏହିଭଳି ମହାମାରୀ ଆସେ। ଏଥିରେ ଆମର ଯୁବପୀଢି ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି। ପିଲାମାନେ ଭୟ କରନି, ଆମେ ସମସ୍ତେ ତୁମ ସାଥିରେ ଅଛୁ। କିନ୍ତୁ ତୁମକୁ ସତର୍କ ରହିବାକୁ ହେବ। ତୁମମାନଙ୍କୁ ମୋର ଅନୁରୋଧ, ତୁମେମାନେ କୋଭିଡ୍ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବ। ସ୍କୁଲ ସମୟରେ ଓ ବାହାରେ ମାସ୍କ ଠିକ୍‌ ଭାବରେ ପିନ୍ଧିବ। ବାରମ୍ବାର ସାବୁନରେ ହାତ ଧୋଇବ। କୋଭିଡ୍ ନିୟମ ପାଳନରେ କେବେ ବି ହେଳା କରିବ ନାହିଁ। ପାଠପଢାରେ ଯାହା କିଛି କ୍ଷତି ହୋଇଛି, ତାକୁ ପୂରଣ କରିବା ପାଇଁ ଆମେ ଦିନରାତି ପରିଶ୍ରମ କରିବା। ପିଲାମାନଙ୍କର କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।

ଏହି ଅବସରରେ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଆମ ସଂସ୍କୃତିରେ ଗୁରୁଙ୍କୁ ଆମେ ଭଗବାନ ଭାବରେ ସମ୍ମାନ କରୁ। ଗୁରୁଙ୍କ ଆଶୀର୍ବାଦ, ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ। ଆପଣମାନେ ଜାଣନ୍ତି, କୋଭିଡ୍ ଯୋଗୁ ପିଲାମାନଙ୍କର ଓ ସେମାନଙ୍କ ପାଠପଢାରେ ସବୁଠାରୁ ଅଧିକ କ୍ଷତି ହୋଇଛି। ତେଣୁ ଆମେ ସମସ୍ତେ ମିଶି ସେ କ୍ଷତି ଭରଣା କରିବା।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପିଲାଙ୍କ ବିନା ସ୍କୁଲ ପ୍ରାଣହୀନ। ପିଲାଙ୍କ ବିନା ସ୍କୁଲର ଅର୍ଥ କିଛି ନାହିଁ। ବହୁ ଦିନ ପରେ ସ୍କୁଲ ଆଜି ପୁଣି ଚଳଚଞ୍ଚଳ ହୋଇଛି। ପିଲାଙ୍କ କୋଳାହଳରେ ସ୍କୁଲ ଆଜି ନୂଆ ଜୀବନ ପାଇଛି। ସ୍କୁଲ ପରିଚାଳନା ବୋର୍ଡକୁ ପିଲାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ପିତାମାତା ଓ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ଛାଡନ୍ତୁ ଏବଂ ଭଲ ଭାବରେ ମାସ୍କ ପିନ୍ଧାଇ ଛାଡନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Also Read  K Srinath Reddy, the new healthy advisor of the state meets CM Naveen