ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହୋଇଛି। ଜଗତସିଂହପୁର ଦୁଇଟି ବୁଥକୁ ବାଦ୍ ଦେଲେ ଅନ୍ୟ ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ସମାପନ ହୋଇଛି। ଅପରାହ୍ନ ୧ଟା ସୁଦ୍ଧା ଆସିଥିବା ରିପୋର୍ଟ ଅନୁଯାୟୀ ୬୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦିନ ଗୋଟାଏରେ ବୁଥ୍ ଗେଟ୍ ବନ୍ଦ କରି ଦିଆଯାଇଛି। ଫଳରେ ଯେଉଁମାନେ ସମୟ ପୂର୍ବରୁ ବୁଥ୍ ପରିସରରେ ପ୍ରବେଶ କରି ସାରିଛନ୍ତି ସେମାନେ ଭୋଟ୍ ଦେଉଛନ୍ତି। ଏହି ପର୍ଯ୍ୟାୟରେ ରାଜ୍ୟରେ ୬୮ ବ୍ଲକର ମୋଟ ୨୦ ହଜାର ୪୩୫ଟି ବୁଥରେ ମତଦାନ କରାଯାଇଥିଲା। ସେଥିରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ୍ ଥିଲା। ମତଦାନ ସମୟରେ ଯେପରି କୌଣସି ପ୍ରକାରର ହିଂସା ନହୁଏ ସେଥିପାଇଁ ପୁଲିସ ମୁତୟନ ହୋଇଥିଲେ। ମୋଟ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ରକ୍ତପାତ, ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏହାପରେ ରାଜ୍ୟ ନିର୍ବାଚନ କମିଶନର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ପରବର୍ତ୍ତୀ ପର୍ଯ୍ୟାୟରେ ଯେପରି ହିଂସାକାଣ୍ଡ ନ ଘଟେ, ତାହା ଉପରେ ନଜର ରଖିବାକୁ ଡିଜିପିଙ୍କୁ ତାଗିଦ କରିଥିଲେ। ତେବେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ କାଁ ଭାଁ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି।