୫୬ ବର୍ଷରେ ବଲିଉଡର ବାଦଶାହ ଶାହରୁଖ

0
570
ଶାହରୁଖ ଖାନ
ଶାହରୁଖ ଖାନ

ମୁମ୍ବାଇ:  ଆଜି ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ଜନ୍ମ ଦିନ ।  ୫୬ ବର୍ଷରେ ପଦାର୍ପଣ କରିଛନ୍ତି ଏହି ଅନନ୍ୟ ଅଭିନେତା। ରୋମାଣ୍ଟିକ ହିରୋ ଭାବେ ସେ ବଲିଉଡରେ ବେଶ୍ ପରିଚିତ। ନିଜ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖନ୍ତି ।

ଗତକିଛି ଦିନ ହେବ ସେ ନିଜ ପୁଅ ଆରୟନଙ୍କୁ ନେଇ ବିବାଦରେ ରହିଥିଲେ। ପୁଅ ଡ୍ରଗ୍ସ ପାର୍ଟିରେ ସାମିଲ ଥିବା କଥ‌ା ସାମ୍ନାକୁ ଆସିବା ପରେ ତାଙ୍କୁ ଅନେକ ସମାଲୋଚନା କରିଥିଲେ। ହେଲେ ସବୁ ପରେ ବି ସେ ପ୍ରଶଂସକମାନଙ୍କ ମଧ୍ୟରେ ପୂର୍ବଭଳି ଲୋକପ୍ରିୟ ହୋଇ ରହିଛନ୍ତି ।

ଶାହରୁଖ ଖାନଙ୍କ ଜନ୍ମ ନଭେମ୍ବର ୨, ୧୯୬୫ ମସିହା ଦିଲ୍ଲୀରେ ହୋଇଥିଲା । ତାଙ୍କ ବାପା ତାଜ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ତାଙ୍କ ମାଙ୍କ ନାଁ ଥିଲା ଫାତିମା । ଶାହରୁଖ ନିଜ ସ୍କୁଲ ଶିକ୍ଷା ଦିଲ୍ଲୀର ସେଣ୍ଟ କଲମ୍ବସ ସ୍କୁଲରୁ ଶେଷ କରିଥିଲେ । ପାଠ ସହିତ ସେ ଥିଏଟରରେ ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ । ଏହାପରେ ସେ ହଂସରାଜ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ପରେ ଜାମିଆ ମିଲିଆ ଇସଲାମିୟା ବିଶ୍ୱବିଦ୍ୟାଳୟରୁ ମାସ କମ୍ୟୁନିକେସନରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଶାହାରୁଖ ।

ବାପା ମାଙ୍କ ମୃତ୍ୟୁ ପରେ ଶାହରୁଖ ମୁମ୍ବାଇ ଚାଲି ଆସିଥିଲେ । କିଛି ବର୍ଷ ସଂଘର୍ଷ ପରେ ସେ ଧାରାବାହିକରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଦିୱାନା ଚଳଚ୍ଚିତ୍ରରୁ ସେ ବଡ ପରଦାରେ ପାଦ ଦେଇଥିଲେ । ଏହାପରେ ସେ ପ୍ରଶଂସକମାନଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ଦିଲ ୱାଲେ ଦୁଲହନିୟା ଲେ ଜାୟେଙ୍ଗେ, ବାଜିଗର, ଦେବଦାସ, କରନ ଅର୍ଜୁନ, ମହବତେଁ, ବୀରଜାରା ଭଳି ଅନେକ ଫିଲ୍ମରେ ମନଛୁଆଁ ଅଭିନୟ କରିଛନ୍ତି କିଙ୍ଗ ଖାନ ।

Also Read  ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ