ସମବାୟ ସମିତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କର : ଉଚ୍ଚ ନ୍ୟାୟାଳୟ

0
617
ଉଚ୍ଚ ନ୍ୟାୟାଳୟ
ଉଚ୍ଚ ନ୍ୟାୟାଳୟ
ଭୁବନେଶ୍ୱର: ମାସକ ମାସ ଭିତରେ ସମବାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସମବାୟ ସମିତି ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମବାୟ ନିର୍ବାଚନ ପାଇଁ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ସମବାୟ ସମିତି ପରିଚାଳନା ଦାୟିତ୍ଵ ଜିଲ୍ଲାପାଳଙ୍କ ହାତରେ ଦିଆଯିବା ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଭବାନୀ ପ୍ରସାଦ ମାଝୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି।

ପୌର ସଂସ୍ଥାଗୁଡ଼ିକ ଭଳି ସମବାୟ ସମିତି ଗୁଡ଼ିକର ପରିଚାଳନା ଦାୟିତ୍ବ ଏବେ ପ୍ରଶାସକଙ୍କ ହାତରେ। ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଦେଢ ବର୍ଷ ହେବ ଶେଷ ହୋଇଥିବା ବେଳେ ସରକାର ସମବାୟ ନିର୍ବାଚନ କରୁ ନାହାନ୍ତି। ଏହା ସମବାୟ ଆଇନର ଉଲ୍ଲଂଘନ ବୋଲି ଅଭିଯୋଗ କରି ଏହି ମାମଲା ଦାୟର ହୋଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ସୁନ୍ଦରଗଡ଼ ଜିଲ୍ଲା ସମବାୟ ସମିତିର ନର୍ବାଚିତ ପରିଷଦ ସଦସ୍ୟଙ୍କ ୫ ବର୍ଷିଆ କାର୍ଯ୍ୟକାଳ ୨୦୨୦, ଏପ୍ରିଲ ୩୦ରୁ ଶେଷ ହେବା ପରେ ଜିଲ୍ଲାପାଳଙ୍କୁ ପ୍ରଶାସକ ଭାବେ ସରକାର ଦାୟିତ୍ବ ଦେଇଥିଲେ। ଇତି ମଧ୍ୟରେ ଦେଢ ବର୍ଷ ବିତି ଯାଇଥିବା ବେଳେ ରାଜ୍ୟରେ ସମବାୟ ନିର୍ବାଚନ କରାଯାଉ ନାହିଁ। ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷର ଏକ ବର୍ଷ ଭିତରେ ନିର୍ବାଚନ ହେବା କଥା। କିନ୍ତୁ ଏପରି କରାଯାଇ ନାହିଁ। ଅନ୍ୟପକ୍ଷରେ ପ୍ରଶାସକ ଏକ ବର୍ଷରୁ ଅଧିକ ସମୟ ସମବାୟ ସମିତି ପରିଚାଳନା ଦାୟିତ୍ବରେ ରହି ପାରିବେ ନାହିଁ ବୋଲି ନିୟମ ରହିଛି। ନିୟମ ଉଲ୍ଲଂଘନ କରି ଏକ ବର୍ଷ ପରେ ମଧ୍ୟ ପ୍ରଶାସକଙ୍କୁ ସମବାୟ ସମିତି ପରିଚାଳନା ଦାୟିତ୍ବ ଦିଆଯାଇଛି। ‌ତୁରନ୍ତ ସମବାୟ ନିର୍ବାଚନ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଥିଲେ।
Also Read  Khurda District crosses 400-mark again; 1193 new Covid-19 cases in Odisha