କରୋନା ତୃତୀୟ ଲହରର ଭୟ ଘାରିଲା : ବୟସ୍କ ଓ ଶିଶୁଙ୍କ ମଧ୍ୟରେ କରୋନା ସଂକ୍ରମଣ ହାର କେତେ ? ଜାଣନ୍ତୁ…

0
781
କରୋନା ତୃତୀୟ ଲହରର ଭୟ ଘାରିଲା
କରୋନା ତୃତୀୟ ଲହରର ଭୟ ଘାରିଲା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ତୃତୀୟ ଲହରର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ଆରମ୍ଭ କରିଦେଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍ ସଂକ୍ରମିତଙ୍କ ନିମନ୍ତେ ପୂର୍ବଭଳି ବେଡ୍ ପ୍ରସ୍ତୁତ କରି ରଖିବା ପାଇଁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି।

କରୋନା ତୃତୀୟ ଲହରର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପୂର୍ବଭଳି କୋଭିଡ୍‌ ସଂକ୍ରମିତଙ୍କ ପାଇଁ ବେଡ୍ ପ୍ରସ୍ତୁତ ରଖିବା ସହ ଅତିରିକ୍ତ ମାନବ ସମ୍ବଳ ବିନିଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ସର୍ଭେଲାନ୍ସ, ଟିକାକରଣ, ଟେଷ୍ଟିଂ ଜାରି ରହିବା ସହ ଦାୟିତ୍ୱରେ ଥିବା ବ୍ୟକ୍ତି ନଭେମ୍ବର ୩୦ ଯାଏ ସେହି କାମରେ ନିୟୋଜିତ ରହିବେ । ଆଉଟସୋର୍ସ କର୍ମଚାରୀଙ୍କୁ ‘ନିର୍ମଳ ସ୍କିମ’ରୁ ଅର୍ଥ ପ୍ରଦାନ କରାଯିବ । ତେଣୁ ଡାକ୍ତର, ନର୍ସ, ଲ୍ୟାବ ଟେକ୍ନିସିଆନ, ଫାର୍ମାସିଷ୍ଟଙ୍କ ସହ ମ୍ୟାନେଜର, ଓ ଡିଇଓଙ୍କୁ ମଧ୍ୟ ପୂର୍ବଭଳି ପ୍ରାପ୍ୟ ବ୍ୟବସ୍ଥା କରାଯାଇଛି । ଏଚଏସଏସ-ଏନଏଚଏମ ଫଣ୍ଡରୁ ସମସ୍ତଙ୍କୁ ପ୍ରାପ୍ୟ ଦିଆଯିବ । ଏନେଇ ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଅନ୍ୟପଟେ କରୋନା ନେଇ ଆରଏମ୍ଆରସିର ନୂଆ ସର୍ଭେ ରିପୋର୍ଟ ଆସିଛି । ସର୍ଭେରୁ ଜଣାପଡ଼ିଛି ଯେ ଶିଶୁ ଓ ବରିଷ୍ଠ ଲୋକଙ୍କ ସଂକ୍ରମଣ ସ୍ଥିତି ପ୍ରାୟ ସମାନ । ତେବେ ଅନ୍ୟବର୍ଗ ଅପେକ୍ଷା କେବଳ ଶିଶୁ ଅଧିକ ସଂକ୍ରମିତ ହେଉଛନ୍ତି । ଯେତେବେଳେ ଅନ୍ୟବର୍ଗର ଲୋକ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ୍ ସେହି ସମୟରେ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ମଧ୍ୟ ବଢୁଛି । ଆରଏମ୍ଆରସି ଭୁବନେଶ୍ୱର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ୨୦୨୦ ମାର୍ଚ୍ଚ ୭ରୁ ୨୦୨୧ ଅଗଷ୍ଟ ୧୭ ତାରିଖ ମଧ୍ୟରେ ବିଭିନ୍ନ ବର୍ଗର ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ସେଥିରୁ ୭୫ ହଜାର ୧୯୦ ଜଣ ଅର୍ଥାତ୍ ୧୩ ପ୍ରତିଶତ ସଂକ୍ରମିତ ରହିଥିଲେ ।

ସେଥିମଧ୍ୟରୁ ୫ ହଜାର ୯୮୮ ଜଣ ୧୮ ବର୍ଷରୁ କମ ବୟସର ଶିଶୁ ଥିବାବେଳେ ୬୯ ହଜାର ୨୦୨ ଜଣ ବିଭିନ୍ନ ବର୍ଗର । ଶୂନରୁ ୧୭ ବର୍ଷ ମଧ୍ୟରେ ୧୧.୬ ପ୍ରତିଶତ ରହିଛନ୍ତି । ୬ରୁ ୯ ବର୍ଷ ମଧ୍ୟରେ ୧୨.୯୬ ପ୍ରତିଶତ ଥିବାବେଳେ ଶୂନରୁ ୫ ବର୍ଷ ମଧ୍ୟରେ ୯.୦୭ ପ୍ରତିଶତ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଅନୁସନ୍ଧାନରୁ ଜଣାପଡ଼ିଛି, ଗତ ଦୁଇଟି ଲହର ସମୟରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ହାର ବୟସ୍କଙ୍କ ତୁଳନାରେ କମ୍ ଥିଲା । ପ୍ରଥମ ଏବଂ ଦ୍ଵିତୀୟ ଲହରରେ ଓଡ଼ିଶାରେ ଶୂନରୁ ୧୭ ବର୍ଷ ବୟସରେ ମୃତ୍ୟୁ ହାର ଯଥାକ୍ରମେ ୦.୦୫ ପ୍ରତିଶତ ଏବଂ ୦.୦୩ ପ୍ରତିଶତ ଥିଲା । ଯାହା ସାମମଗ୍ରିକ ମୃତ୍ୟୁ ହାରର ୦.୭୫ ପ୍ରତିଶତ ଠାରୁ ବହୁତ କମ୍ ।

Also Read  ଆଜିଠାରୁ ବିନା ଟିକା ପ୍ରମାଣ ପତ୍ରରେ ଚାଲିଛି ଶ୍ରୀଜିଉଙ୍କ ଦର୍ଶନ

୨୦୨୧ ମସିହାରେ ଶୂନରୁ ୬ ବର୍ଷ ମଧ୍ୟରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ୧୪ ବର୍ଷ ମଧ୍ୟରେ ୧୧ ଜଣଙ୍କ ଜୀବନ ଯାଇଛି । ସେହିପରି ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ଘଟିଛି । କରୋନାରେ ଅନ୍ୟ ବର୍ଗ ଅପେକ୍ଷା ଶିଶୁ ବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି ବୋଲି ଯେଉଁ ଆକଳନ କରାଯାଉଥିଲା, ତାହା ଭୁଲ ପ୍ରମାଣିତ ହୋଇଛି । ଏହି ସର୍ଭେରୁ ଜଣାପଡ଼ିଛି, କରୋନା ସଂକ୍ରମଣରେ ଅନ୍ୟ ବର୍ଗର ଲୋକମାନେ ଯେତେ ମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ୍ ସମାନ ଭାବରେ ଶିଶୁ ବର୍ଗ ମଧ୍ୟ ସଂକ୍ରମିତ ହେଉଛନ୍ତି ।