ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ : ପୁଲିସ ହାତରେ କି ତଥ୍ୟ ଲାଗିଛି ପଢ଼ନ୍ତୁ ?

0
440
ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷା କର୍ମୀ ଚିତ୍ତରଞ୍ଜନ ପଲେଇ (୨୨)ଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତାଙ୍କୁ କିଏ ଏବଂ କାହିଁକି ହତ୍ୟା କଲା, ଏହା ପଛର କାରଣ ଖୋଜିବ କ୍ରାଇମବ୍ରାଞ୍ଚ। ଆଜି ପୁଲିସ ଡିଜି ଅଭୟ ଚିତ୍ତରଞ୍ଜନଙ୍କ ହତ୍ୟାକାରୀକୁ ଖୋଜିବାର ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ଡିଜିପି କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ତତକ୍ଷଣାତ ଗ୍ରହଣ କରିଛି। ଅନ୍ୟପକ୍ଷରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ ଉଭୟ ରାଜ୍ୟ ସରକାର ଓ ସଞ୍ଜୟଙ୍କୁ ଘେରିଛନ୍ତି ବିରୋଧୀ ।

ଉଲେ୍‌ଲଖଯୋଗ୍ୟ, ଗତ ୧୧ ତାରିଖରେ ଚିତ୍ତରଞ୍ଜନ ଭୋଜି କରିବାକୁ ଯାଇ ଆଉ ଫେରି ନଥିଲେ । ଡିସେମ୍ବର ୧୩ରେ ପୁରୀ ସଦର ଥାନା ଅନ୍ତର୍ଗତ ଭାର୍ଗବୀ-ନୂଆନଈଠାରେ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରଦିନ ସକାଳେ ଭାର୍ଗବୀ-ନୂଆନଈରେ ଏକ ଶବ ଭାସୁଥିବାର ଲୋକେ ଦେଖିବାକୁ ପାଇଥିଲେ। ସେମାନେ ସ୍ଥାନୀୟ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରୁ ପୁଲିସ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ଉଦ୍ଧାର କରିଥିଲା। ଚିତ୍ତରଞ୍ଜନ ପଲେଇ ଗତ ୪ ମାସ ତଳେ ବିବାହ କରିଥିଲେ। ୨ ଦିନ ହେବ ସେ ନିଖୋଜ ଥିଲେ। ଚିତ୍ତରଞ୍ଜନଙ୍କୁ ତାଙ୍କ ସାଙ୍ଗମାନେ ଅପହରଣ ପରେ ହତ୍ୟା କରିଥିବା ଅଭିଯୋଗ କରି ତାଙ୍କ ବଡ଼ବାପା ପୂର୍ଣ୍ଣଚନ୍ଦ୍ର ପଲେଇ ପୁରୀ ସଦର ଥାନାରେ ଏତଲା ଦେଇଥିଲେ। ଏହାପରେ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିଥିଲା। ଟଙ୍କା ପାଇଁ ଚିତରଞ୍ଜନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ହତ୍ୟା ଷଡ଼୍‌ଯନ୍ତ୍ର ନେଇ ପୁଲିସ ହାତରେ ତଥ୍ୟ

  • ତନାଘନା କଲେ ଆଇଜି ନରସିଂହ ଭୋଳ

  • ସାଇଣ୍ଟିଫିକ୍‌ ଟିମ୍‌ର ସାନି ତଦନ୍ତ, ଉଡ଼ିଲା ଡ୍ରୋନ୍‌ କ୍ୟାମେରା

    ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଏବେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ପରିବାର ଲୋକେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ସେପଟେ ନିଜେ ଆଇଜି ନରସିଂହ ଭୋଳ ଆଜି ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ପ୍ରକ୍ରିୟାର ତଦାରଖ କରିଛନ୍ତି। ଆଇଜିଙ୍କ ଉପସ୍ଥିତିରେ ଅଭିଯୁକ୍ତ ବୋଲି କୁହାଯାଉଥିବା ଜଗନ୍ନାଥ ଷଡ଼ଙ୍ଗୀକୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରାଯାଇଛି। ସେପଟେ ପୁଲିସ ‌ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ଘଟଣାସ୍ଥଳର ଭିଡିଓଗ୍ରାଫି କରିଛି। କେବଳ ସେତିକି ନୁହେଁ, ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ଯାଞ୍ଚ ଚଳାଇଛି। ଡଗ୍‌ ସ୍କ୍ବାଡ୍‌ ଜରିଆରେ ମଧ୍ୟ ହତ୍ୟାର ରହସ୍ୟ ଉନ୍ମୋଚନ ଲାଗି ପ୍ରୟାସ ଚଳାଇଛି ପୁଲିସ।

    ଗତକାଲି ଘଟଣାସ୍ଥଳରେ ତଦନ୍ତ ବେଳେ ଏକ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ସାଇଣ୍ଟିଫିକ୍‌ ଟିମ୍‌ର ହସ୍ତଗତ ହୋଇଥିଲା। ଯାହା ହତ୍ୟାର ଦିଗକୁ ସୂଚାଇଛି। ଏହାକୁ ନେଇ ଆଜି ପୁଲିସର ତଦନ୍ତ ଭିନ୍ନ ମୋଡ଼ ନେଇଛି। ଚିତ୍ତରଞ୍ଜନଙ୍କ ମୃତ୍ୟୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଛି। ଯେଉଁଥିପାଇଁ ଆଜି ମଧ୍ୟାହ୍ନରେ ଆଇଜି ଶ୍ରୀ ଭୋଳ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ଓ ଅନୁସନ୍ଧାନ କୁକୁର ଜରି‌ଆରେ ସବୁ ଦିଗ ଉପରେ ତର୍ଜମା କରୁଛନ୍ତି। ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଦୁଇଟି ସ୍ବତନ୍ତ୍ର ଅନୁସନ୍ଧାନ ଟିମ୍‌ ଗଠନ କରାଯାଇଛି। ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ନେଇ ଏକ ଟିମ୍‌ ତଦନ୍ତ କରୁଥିବା ବେଳେ ଅନ୍ୟ ବରିଷ୍ଠ ପଦାଧିକାରୀମାନଙ୍କୁ ନେଇ ଦ୍ବିତୀୟ ଟିମ୍‌ ଗଠନ କରାଯାଇଛି। ଚିତ୍ତରଞ୍ଜନଙ୍କ ମୃତଦେହ ନୂଆନଈରୁ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ହତ୍ୟା ପଛରେ ଚିତ୍ତରଞ୍ଜନଙ୍କ ଘନିଷ୍ଠ ବନ୍ଧୁ ଜଗନ୍ନାଥ ଷଡ଼ଙ୍ଗୀର ହିଁ ହାତ ରହିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ଆସିବା ପରେ ଗତ ତିନି ଦିନ ଧରି ପୁଲିସ ତାକୁ ଅଟକ ରଖି ପଚରାଉଚରା ଚଳାଇଛି। ଜଗନ୍ନାଥ ସହ ସଞ୍ଜୟଙ୍କ ପିଏସ୍‌ଓ ଓ ଅନ୍ୟ ୪ ଜଣଙ୍କୁ ବି ଅଟକ ରଖି ପଚରାଉଚରା ଜାରି ରଖିଛି। ଆଇଜିଙ୍କ ଉପସ୍ଥିତିରେ ସମସ୍ତଙ୍କ ବୟାନକୁ ଆଜି ପୁଲିସ ଭିଡିଓ ରେକର୍ଡିଂ କରିଛି।

    ବଡ଼କଥା ହେଉଛି, ଜଗନ୍ନାଥର ବୟାନରେ ତାରତମ୍ୟ ରହୁନାହିଁ। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ପ୍ରଥମରୁ ଏକ ସଡ଼କ ଦୁର୍ଘଟଣାରେ ଜଗନ୍ନାଥ ଆହତ ହୋଇଥିବା କହିଥିଲା। ତେବେ ଏହି ଦୁର୍ଘଟଣା ପରେ ଜଗନ୍ନାଥ ଓ ତା’ର ସ୍କୁଟି ରାସ୍ତାର ଡାହାଣ ପଟକୁ ପଡ଼ିଥିବା ବେଳେ ଗାଡ଼ି ପଛରେ ବସିଥିବା ଚିତ୍ତରଞ୍ଜନ କିପରି ବାମପଟକୁ ପଡ଼ିଥିଲେ ବୋଲି ପୁଲିସ ପ୍ରଶ୍ନ କରିଥିଲା। ପୁଣି ଚିତ୍ତରଞ୍ଜନ ପଡ଼ିଯାଇଥିବା ସ୍ଥାନରେ ରକ୍ତ ପଡ଼ିଥିବା ବେଳେ ସେଠାରୁ ପ୍ରାୟ ୩୦ ମିଟର ଦୂରରେ ଥିବା ନୂଆନଈକୁ ସେ ଗଲେ କିପରି ବୋଲି ପୁଲିସ ତାଙ୍କୁ ପ୍ରଶ୍ନ କରିଥିଲା। କିନ୍ତୁ ପୂର୍ବରୁ ଦୁର୍ଘଟଣା କଥା କହୁଥିବା ଜଗନ୍ନାଥ ଏହାର ଠିକ୍‌ ଉତ୍ତର ଦେଇପାରିନଥିଲା। ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ଥିବାରୁ ସେ କିଛି ଜାଣିନି ବୋଲି ଏବେ ପୁଲିସ ସମ୍ମୁଖରେ କହିଛି। ତେଣୁ ପୁଲିସ ଏବେ ଜଗନ୍ନାଥ, ଚିତ୍ତରଞ୍ଜନଙ୍କ ସହ ଗତ ୧୧ ତାରିଖ ରାତିରେ ମାଟିଆପଡ଼ା ଛକରେ ହୋଇଥିବା ଭୋଜିରେ ଯେଉଁମାନେ ରହିଥିଲେ, ସେମାନଙ୍କର ମୋବାଇଲ ଟ୍ରାକିଂ କରିବା ଆରମ୍ଭ କରିଛି। ପୁରୁଣା କଲ୍‌ ରେକର୍ଡର ଖୋଳତାଡ଼ କରୁଛି। କେଉଁ କେଉଁମାନଙ୍କ ସହିତ ସେମାନଙ୍କର ଫୋନ୍‌ରେ କଥାବାର୍ତ୍ତା ହୋଇଛି, ତା’ର ତଦନ୍ତ ଚଳାଇଛି। ସେହିପରି ମାଟିଆପଡ଼ା ଛକରୁ ଦୁର୍ଘଟଣାସ୍ଥଳ ପର୍ଯ୍ୟନ୍ତ ଯେଉଁଠାରେ ସିସି କ୍ୟାମେରା ରହିଛି, ତାହାର ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରୁଛି। ପ୍ରକୃତରେ ଚିତ୍ତରଞ୍ଜନ ପଡ଼ିଥିବା ସ୍ଥାନରୁ ସେ କିପରି ନୂଆନଈ ପାଣିକୁ ଗଲେ, ସେ ପ୍ରଶ୍ନ ଏବେ ପୁଲିସକୁ ଘାରିଛି।

    ତେବେ ଗତକାଲି ଚିତ୍ତରଞ୍ଜନଙ୍କ ମୃତ୍ୟୁ ପଛରେ ସଞ୍ଜୟ ଦାସବର୍ମାଙ୍କ ସମ୍ପୃକ୍ତିକୁ ନେଇ ଅଭିଯୋଗ ଆଣିବା ପରେ ବିଜେପି ସଞ୍ଜୟଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି। ଅନ୍ୟପଟେ ଆଜି ଶ୍ରୀ ଦାସବର୍ମାଙ୍କ ସହ ଚିତ୍ତରଂଜନଙ୍କ ବାପା ଓ ଅନ୍ୟ ପରିବାର ସଦସ୍ୟ ଏସ୍‌ପିଙ୍କୁ ଭେଟି ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଜଗନ୍ନାଥ ‌ବକେୟା ଟଙ୍କା ପାଇଁ ଚିତ୍ତରଂଜନଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଚିତ୍ତରଂଜନଙ୍କ ବାପା ଓ ପରିବାର ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି।

Also Read  Khurda DA conducts public hearing to set up a dumping yard at Daruthenga

LEAVE A REPLY

Please enter your comment!
Please enter your name here