ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା : ଆହୁରି ବଢ଼ିବ ଶୀତ

0
642
ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ୱର : ରାଜ୍ୟରେ କମୁଛି ତାପମାତ୍ରା । ଅସହ୍ୟ ହେଉଛି ଶୀତ । ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ଘଟିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉତ୍ତର-ପଶ୍ଚିମ ଓ ଉତ୍ତର ଦିଗରୁ ଓଡ଼ିଶାକୁ ପ୍ରବାହିତ ହେବାକୁ ଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ହ୍ରାସ ପାଇବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ ଶୀତ ପ୍ରବାହ ବୃଦ୍ଧି ପାଇବ। ୪ରୁ ୫ ଦିନ ପର୍ଯ୍ୟନ୍ତ ରାତିର ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳେ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ରେକର୍ଡ ତାପମାତ୍ରା ହ୍ରାସ ପାଇଛି । ଦାରିଙ୍ଗବାଡିଠାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । କେବଳ ପାହାଡିଆ ଅଞ୍ଚଳ ନୁହେଁ ସମତଳ ଅଞ୍ଚଳରେ ମଧ୍ୟ ପାରା କମିବାରେ ଲାଗିଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କନ୍ଧମାଳ ସମେତ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ। ଅନୁଗୁଳ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଅଭ୍ୟନ୍ତରୀଣ ଅଞ୍ଚଳରେ ବି କୁହୁଡ଼ି ପରିମାଣ ଅଧିକ ରହିବ। ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ହେବ ନାହିଁ।

ଗତ ୨୪ ଘଣ୍ଟାରେ ଫୁଲବାଣୀ, କୋରାପୁଟ, ମାଲକାନଗିରିରେ ଘନ କୁହୁଡ଼ି ଅନୁଭୂତ ହୋଇଛି। ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା ୦.୫ରୁ ୧.୫ ଡିଗ୍ରି ଯାଏ ଖସିଥିବା ବେଳେ ଅଭ୍ୟନ୍ତରୀଣ ଓଡ଼ିଶାରେ ୦.୫ ଡିଗ୍ରିରୁ ଦୁଇ ଡିଗ୍ରି ଯାଏ ତଳକୁ ଖସିଛି। ୮ଟି ସହରର ତାପମାତ୍ରା ୧୩ ଡିଗ୍ରି ତଳେ ରେକର୍ଡ ହୋଇଛି। ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରି ରହିଥିବା ବେଳେ ଫୁଲବାଣୀରେ ୧୦, ଝାରସୁଗୁଡ଼ାରେ ୧୦.୮, କେନ୍ଦୁଝରରେ ୧୧.୨, ଟିଟିଲାଗଡ଼ରେ ୧୧.୩, ସୁନ୍ଦରଗଡ଼ରେ ୧୨, ସୋନପୁରରେ ୧୨.୪ ଓ ଭବାନୀପାଟଣାରେ ୧୨.୯ ଡିଗ୍ରି ଥିଲା।

Also Read  Bangladeshi nationals gets passports on submission of fake docs; 24 passports revoked, 5 arrested and 16 still on the run