ମନ୍ତ୍ରୀ ଅଜୟ ମିଶ୍ର ଅପରାଧୀ କହି ସଂସଦରେ ରାହୁଲ୍‌ଙ୍କ ପ୍ରତିବାଦ

0
462
ସଂସଦରେ ରାହୁଲ୍‌ଙ୍କ ପ୍ରତିବାଦ
ସଂସଦରେ ରାହୁଲ୍‌ଙ୍କ ପ୍ରତିବାଦ

ନୂଆଦିଲ୍ଲୀ: ଲଖିମପୁର ଖେରି କୃଷକ ହତ୍ୟାରେ ଅଭିଯୁକ୍ତ ହୋଇଥିବା ପୁଅ ଆଶିଷ ମିଶ୍ରଙ୍କ ପାଇଁ ବାପା ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଜଣେ ଅପରାଧୀ କହିବା ସହ ତାଙ୍କୁ ବହିଷ୍କାର କରାଯାଉ ବା ସେ ଇସ୍ତଫା ଦିଅନ୍ତୁ ବ‌ୋଲି ଆଜି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ପାର୍ଲାମେଣ୍ଟ୍‌ରେ ପ୍ରତିବାଦ କରିଛନ୍ତି।

ଆଜି ସକାଳେ ଦିଲ୍ଲୀର ନର୍ଥ ବ୍ଲକ୍‌ରେ ଥିବା ଅଫସ୍‌କୁ ମନ୍ତ୍ରୀ ଅଜୟ ମିଶ୍ର ପ୍ରବେଶ କରିବା ପରେ ଲୋକସଭାରେ ରାହୁଲ୍‌ ଗାନ୍ଧୀ କହିଲେ, ମନ୍ତ୍ରୀ ଇସ୍ତଫା ଦେବା ଆବଶ୍ୟକ। ସେ ଜଣେ ଅପରାଧୀ। ଲଖିମପୁର ଖେରିରେ ହୋଇଥିବା ନରହତ୍ୟା ସମ୍ପର୍କରେ ଆଲୋଚନା କରିବାକୁ ଆମକୁ ଅନୁମତି ଦିଆଯିବା ଉଚିତ। କାରଣ, ଏଥିରେ ମନ୍ତ୍ରୀ ସଂପୃକ୍ତ ଅଛନ୍ତି ଏବଂ ଏହାକୁ ଷଡ୍‌ଯନ୍ତ୍ର ବୋଲି କୁହାଯାଉଛି।

ଉଭୟ ଗୃହରେ ଆହୁରି କେତେ ଜଣ ବିରୋଧୀ ସାଂସଦ ଉକ୍ତ ଘଟଣାକୁ ତଦନ୍ତକାରୀ ପୁଲିସ ଟିମ୍‌ର ଯୋଜନାବଦ୍ଧ ଷଡ଼ଯନ୍ତ୍ର କହି ବିତର୍କ ପାଇଁ କହିବାରୁ ଉଭୟ ଗୃହକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରତିବାଦକାରୀ ସାଂସଦମାନେ ହାତରେ ‘ଜଷ୍ଟିସ୍‌ ଫର୍‌ ଲଖିମ୍‌ପୁର ଭିକ୍ଟିମ୍‌’ ଏବଂ ‘ସ୍ୟାକ୍‌ ଏମ୍ଓଏସ୍‌ ହୋମ୍‌’ ଆଦି ଲେଖାଥିବା ପ୍ଲାକାର୍ଡ ଧରିଥିଲେ। କିନ୍ତୁ, ଏହି ପ୍ରସଙ୍ଗକୁ ନେଇ ଗୃହ ମୁଲତବୀ ରଖିବାକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ରାଜି ନ ହେବା ସହ ବିରୋଧୀ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କଥା କହିବାରୁ ନିବୃତ କରାଇଥିଲେ। ଫଳରେ କଂଗ୍ରେସ ଓ ଅନ୍ୟ ବିରୋଧୀ ନେତାମାନେ ପ୍ରତିବାଦକୁ ଆହୁରି ପ୍ରବଳ କରିଥିଲେ।

ସଂସଦରେ ରାହୁଲ୍‌ ଗାନ୍ଧୀଙ୍କ ଦାବିକୁ ଦୋହରାଇ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଟୁଇଟ୍‌ କରିଛନ୍ତି ଯେ, ମନ୍ତ୍ରୀ ମିଶ୍ରଙ୍କୁ ବହିଷ୍କାର କରିବା ଲାଗି ସରକାରଙ୍କ ଅଗ୍ରାହ୍ୟ ହେଉଛି ନୈତିକତା ଅଧୋଽପତନର ସୁସ୍ପଷ୍ଟ ସୂଚନା।

Also Read  ବାପାଙ୍କ ସମ୍ପତ୍ତିରେ ଝିଅର ରହିଛି ସମାନ ଅଧିକାର