‘ଭର୍ଚ୍ୟୁଆଲ୍‌’ ଶୁଣାଣି ବେଳେ ମହିଳାଙ୍କ ସହ ଆପତ୍ତିଜନ ଅବସ୍ଥାରେ ଥିବା ଓକିଲ ନିଲମ୍ବିତ

0
473
ଆପତ୍ତିଜନ ଅବସ୍ଥାରେ ଥିବା ଓକିଲ ନିଲମ୍ବିତ
ଆପତ୍ତିଜନ ଅବସ୍ଥାରେ ଥିବା ଓକିଲ ନିଲମ୍ବିତ

ଚେନ୍ନାଇ: ବିଚାରପତିଙ୍କ ଦ୍ବାରା ଗୋଟାଏ ମାମଲାର ଭର୍ଚ୍ୟୁଆଲ୍‌ ଶୁଣାଣି ଚାଲିଥିବା ବେଳେ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ଅଭିଯୋଗରେ ମାଡ୍ରାସ୍‌ ହାଇକୋର୍ଟର ଜଣେ ଓକିଲଙ୍କୁ ସୋମବାର ଦିନ ‘ପ୍ରାକ୍ଟିସ୍‌’ରୁ ନିଲମ୍ବିତ କରାଯାଇଛି।

ଅଦାଲତଙ୍କ ନିର୍ଦେଶମତେ, ‘ବାଲ୍‌ କାଉନ୍‌ସିଲ୍‌ ଅଫ୍‌ ତାମିଲନାଡୁ ଆଣ୍ଡ୍‌ ପୁଡୁଚେରି’ ଜାରି କରିଥିବା ପ୍ରେସ୍‌ ରିଲିଜ୍‌ରେ ଉଲ୍ଲେଖ ଅଛି, ଆର୍‌. ଡି. ସାନ୍ତନା ନାମରେ ଏଠାକାର ଜଣେ ଓକିଲଙ୍କୁ ଭାରତର ସମସ୍ତ ଅଦାଲତ, ଟ୍ରାଇବୁନାଲ୍‌ ଏବଂ ଅନ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ଓକିଲାତି କରିବାରୁ ନିବୃତ କରାଯାଇଛି। ତାଙ୍କ ବିରୋଧରେ ହୋଇଥିବା ଅଶୋଭନୀୟ ଆଚରଣ ମାମଲାର ବିଚାର ପଡ଼ି ରହିଥିବା ପର୍ଯ୍ୟନ୍ତ ସେ ଓକିଲାତି କରିପାରିବେ ନାହିଁ।

ସାନ୍ତନା କୃଷ୍ଣନ୍‌ଙ୍କ ବିରୋଧରେ ବିଚାରପତି ପି. ଏନ୍‌. ପ୍ରକାଶ ଏବଂ ଆର୍‌. ହେମଲତା ନିଜଆଡୁ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ମାମଲା ରୁଜୁ କରିବା ସହ ଉକ୍ତ ଘଟଣାର ତଦନ୍ତ କରି ଡିସେମ୍ବର ୨୩ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ବିଚାରପତିମାନେ ପୁଲିସର ‘ସିବି-ସିଆଡି’ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଭାଇରାଲ୍‌ ହୋଇଥିବା ଉକ୍ତ ଘଟଣାର ଭିଡିଓରେ ଦେଖାଯାଉଛି ଯେ, ସୋମବାର ଦିନ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ବିଚାରପତି ମାମଲାର ରାୟ ଶୁଣାଉଥିବା ବେଳେ ଓକିଲଜଣକ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଅଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ, ଅଦାଲତରେ ଚାଲିଥିବା ବିଚାର ସର୍ବସାଧାରଣରେ ପ୍ରସାରଣ କରାଯାଉଥିବା ବେଳେ ଏଭଳି ନିର୍ଲ୍ଲଜ କାଣ୍ଡକୁ ନିରବଦ୍ରଷ୍ଟା ସାଜି ହେୟଜ୍ଞାନ କରି ହେବ ନାହିଁ। ସାମାଜିକ ଗଣମାଧ୍ୟମରେ ଉକ୍ତ ଭିଡିଓର ପ୍ରସାରଣ ରୋକିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଲାଗି ମଧ୍ୟ ଖଣ୍ଡପୀଠ ‘ସିଟି ପୋଲିସ କମିସନର୍‌’ଙ୍କୁ ନିର୍ଦେଶ ଦେଇଥିଲେ।

Also Read  3 electricians suspended in connection to Sum hospital fire mishap