ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ

0
792
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ‘ଇଣ୍ଡିଆ ଟୁଡେ’ ପତ୍ରିକାଦ୍ବାରା ହୋଇଥିବା ‘ମୁଡ୍‌ ଅଫ୍‌ ଦି ନେସନ୍‌-୨୦୨୨’ ସର୍ଭେରୁ ଜଣାପଡ଼ିଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧.୧% ରେଟିଙ୍ଗ୍‌ ହାସଲ କରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି।

ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ପାଇଁ ଏହି ସର୍ଭେରେ ଜନସାଧାରଣଙ୍କୁ କୁହାଯାଇଥିଲା। ଏହି ସର୍ଭେରେ ଓଡ଼ିଶାରୁ ସମୁଦାୟ ୨,୭୪୩ଜଣ ବ୍ୟକ୍ତି ବିଶେଷଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୭୧% ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ‌ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଦୀର୍ଘ ୨୨ ବର୍ଷ ହେବ ସରକାରରେ ରହିଥିଲେ ମଧ୍ୟ ନବୀନଙ୍କ ଲୋକପ୍ରିୟତା ଏଯାବତ କମିନାହିଁ । ତାଙ୍କ କାର୍ଯ୍ୟଶୈଳୀ ଓ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ହିଁ ତାଙ୍କ ଲୋକପ୍ରିୟତାକୁ ବଜ‌ାୟ ରଖିଛି । କେବଳ ଦେଶ କାହିଁକି ପୂରା ବିଶ୍ୱରେ ନବୀନଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ସେବା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଶର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନବୀନଙ୍କୁ ଆଗରେ ରଖିଛି । କେତେବେଳେ ବିପର୍ଯ୍ୟୟ ମୁକାବିଲାର ବିନ୍ଧାଣୀ ସାଜିଛନ୍ତି ତ ପୁଣି କେତେବେଳେ ପୂରା ବିଶ୍ୱ ମାନଚିତ୍ରରେ ଓଡ଼ିଶାର ନାଁକୁ ସାମିଲ କରି ଜନତାଙ୍କ ମନ ଜିଣିଛନ୍ତି ନବୀନ । ଏତିକିରେ ଅଟକିନାହାନ୍ତି ନବୀନ । ଦୀର୍ଘ ୨୨ ବର୍ଷର ସରକାରରେ ଓଡ଼ିଶାକୁ ଖାଦ୍ୟ ନିଅଣ୍ଟ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟରେ ପରିଣତ କରିଛନ୍ତି । ନିରବିଚ୍ଛନ୍ନ ଭାବେ ନବୀନ ସରକାରକୁ ଜନସାଧାରଣ ଏଭଳି ଭଲପାଇବା ଦେବା ପଛରେ ରହିଛି ତାଙ୍କର ଜନକଲ୍ୟାଣକାରୀ ଯୋଜନା, ଲୋକାଭିମୁଖୀ ପଦକ୍ଷେପ ଓ ପରିବର୍ତ୍ତିତ ପ୍ରଶାସନିକ କାର୍ଯ୍ୟଶୈଳୀ । ଫଳରେ ସର୍ଭେରେ ସ୍ଥାନ ପାଇଥିବା ଦେଶର ୯ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇଛନ୍ତି ନବୀନ। ସେହିଭଳି ଉକ୍ତ ସର୍ଭେରେ ୪,୯୮୨ଜଣ ବ୍ୟକ୍ତିବିଶେଷଙ୍କ ଠାରୁ ୬୯.୯% ରେଟିଙ୍ଗ୍‌ ପାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ଦ୍ବିତୀୟ ଜନପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଏହାଛଡ଼ା, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ୬୭.୫% ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ୬୧.୮% ରେଟଙ୍ଗ୍‌ ହାସଲ କରି ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ସର୍ଭେରେ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ୬୧.୧%, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ୫୭.୯%, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ୫୬.୬% ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ୫୧.୪% ରେଟିଙ୍ଗ୍ ହାସଲ କରିଛନ୍ତି।

Also Read  Independence Day is a festival of freedom for us: President

ଉଲ୍ଲେଖନୀୟ ପ୍ରସଙ୍ଗ ହେଉଛି, ‘ବିଜେପି’ କିଂବା ତା’ର ମିତ୍ର ଦଳଦ୍ବାରା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କର ରେଟିଙ୍ଗ୍‌ ୫୦% ମାର୍କ ସ୍ପର୍ଶ କରିଛି କିଂବା ଟପିଛି। ଆସାମ, ଗୁଜରାଟ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ସନ୍ତୋଷଜନକ କର୍ଯ୍ୟାବଳୀ ପାଇଁ ୪୦%ରୁ ଊର୍ଦ୍ଧ୍ବ ରେଟଙ୍ଗ୍‌ ପାଇଛନ୍ତି।