ଭୁବନେଶ୍ୱର : ଆଜିଠାରୁ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ! ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୧୦ ଡ଼ିଗ୍ରୀ ତଳେ ୧୦ ସହରରେ ରାତ୍ରି ତାପମାତ୍ରା, ଦାରିଙ୍ଗବାଡି ଏବଂ ଫୁଲବାଣୀ ରେ ସର୍ବନିମ୍ନ ୬.୦ ଡ଼ିଗ୍ରୀ
ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା-ଶୁଷ୍କ ବାୟୁ, ପ୍ରଭାବରେ ଆହୁରି ୨ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ପରିସ୍ଥିତି ସମ୍ଭାବନା ଥିବାରୁ ହଳଦିଆ ଚେତାବନୀ ଜାରି କରାଯାଇଛି | pic.twitter.com/vJXe5Qcnya
— Meteorological Centre, Bhubaneswar (@mcbbsr) January 29, 2022
ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜିଠାରୁ ୩୦ ତାରିଖ ସକାଳ ସାଢ଼େ ୮ଟା ଯାଏଁ କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ନବରଙ୍ଗପୁର, ସୋନପୁର, ବୌଦ୍ଧ, ସମ୍ୱଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଅନୁଭୂତ ହେବ। ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଠିକ୍ ସେହିପରି ୩୦ ତାରିଖ ସକାଳ ସାଢ଼େ ୮ଟାରୁ ୩୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଶୀତର ଲହର ଅନୁଭୂତ ହେବାର ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଜି ସକାଳେ ଦାରିଙ୍ଗବାଡ଼ିରେ ୬.୦ ଡିଗ୍ରୀ, ଫୁଲବାଣୀରେ ୬.୦ ଡିଗ୍ରୀ, କେନ୍ଦୁଝରରେ ୮.୦ ଡିଗ୍ରୀ, ସୋନପୁରରେ ୮.୦ଡିଗ୍ରୀ, ଭବାନୀପାଟଣାରେ ୮.୦ଡିଗ୍ରୀ, ଝାରସୁଗୁଡ଼ାରେ ୮.୪ ଡିଗ୍ରୀ, କୋରାପୁଟରେ ୯.୦ ଡିଗ୍ରୀ, ନୟାଗଡ଼ରେ ୯.୦ ଡିଗ୍ରୀ, ବଲାଙ୍ଗିରରେ ୯.୦ ଡିଗ୍ରୀ ଓ ବୌଦ୍ଧରେ ୧୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।

























