ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ସର୍ବାଧିକ ୨୩ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୬୮୯କୁ ବୃଦ୍ଧି ପାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏଣେ ଭଦ୍ରକ, ଜଗତସିଂହପୁର, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୨ ଜଣ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେହିପରି ବାଲେଶ୍ବର, ଦେବଗଡ଼, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୬୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୬୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୧୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪୩୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

























