କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

0
1315
କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ
କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

କଟକ:ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।ମାମଲାରେ ମାର୍ଚ୍ଚ ୪ ତାରିଖରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହି ସମୟ ଭିତରେ ତଦନ୍ତରେ ସହଯୋଗ କରିବେ କେନ୍ଦ୍ରମନ୍ତ୍ରୀ। ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

ପରବର୍ତ୍ତୀ ଶୁଣାଣି ସମୟରେ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ନେଇ ସରକାର ଅବଗତ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୮କୁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ମୟୂରଭଞ୍ଜ ଜିଲ୍ଲାର ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ମାଡ଼ ମାରିଥିବା ନେଇ ଟୁଡୁଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଅଶ୍ବିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ଟୁଡୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଏକ ପ୍ଲାଷ୍ଟିକ୍ ଚେୟାରରେ ପିଟିଥିବା ଅଭିଯୋଗ ହୋଇଥିଲା।

ଏନେଇ ଦୁଇ ଅଧିକାରୀ ବାରିପଦା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ମନ୍ତ୍ରୀଙ୍କ ବିରୋଧରେ ପୁଲିସ୍‌ ୩୨୩, ୩୨୫, ୩୪୧, ୨୯୪, ୫୦୬ ଦଫାରେ ମାମଲା ରୁଜୁ କରିଥିଲା। ଗତକାଲି ଏହି ଘଟଣାର ତଦନ୍ତ ପାଇଁ ମୟୂରଭଞ୍ଜ ପୁଲିସ୍‌ର ୮ ଜଣିଆ ଟିମ୍‌ ଓ ସାଇଣ୍ଟିଫିକ୍‌ ଦଳ ମନ୍ତ୍ରୀଙ୍କ ତକତପୁର କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲା। ମାତ୍ର ଏହି ସମୟରେ କାର୍ଯ୍ୟାଳୟରେ ମନ୍ତ୍ରୀ ନ ଥିଲେ। ତାଙ୍କ ଅନୁପସ୍ଥିତିରେ ଜଣେ କର୍ମଚାରୀଙ୍କୁ ପୁଲିସ୍‌ ଜେରା କରି ଫେରିଥିଲା। ଏହାସହ ଫେବ୍ରୁଆରୀ ୪ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଉପ-ନିର୍ଦ୍ଦେଶକ ଅଶ୍ୱିନୀ ମଲ୍ଲିକଙ୍କର ବାରିପଦା ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ମଧ୍ୟ ବୟାନ୍‌ ରେକର୍ଡ କରାଯାଇଥିଲା।

Also Read  Chief Minister Shri Naveen Patnaik with Nobel laureate Kailash Satyarthi at Naveen Niwason