ପୁରୀ : ରାଜ୍ୟରେ କରୋନା ଦ୍ରୁତ ବେଗରେ ହ୍ରାସ ପାଉଛି । ଚାରିଦିନ ହେବ ସଂକ୍ରମଣ ହଜାରେ ତଳେ ରହୁଛି । ଏଣିକି ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ସବୁ କଟକଣା ଉଠିବ । ଆଉ ଦରକାର ପଡ଼ିବନି କୋଭିଡ ଟିକାର ସାର୍ଟିଫିକେଟ । ଏହା ସହିତ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲା ରହିବ । ଆସନ୍ତା ୨୧ ତାରିଖରୁ ଏହି ନୂଆ ଗାଇଡଲାଇନ ଲାଗୁ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ଜାରି ଏସଓପି ଅନୁସାରେ, ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଏଣିକି ଆଉ କୋଭିଡ୍ ଟିକା ସାର୍ଟଫିକେଟ୍ କିମ୍ବା ନେଗେଟିଭ ସାର୍ଟିଫିକେଟର ଆବଶ୍ୟକତା ନାହିଁ । ତେବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ଭଳି କୋଭିଡ୍ ନିୟମକୁ ମାନିବା ପାଇଁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସକାଳ ୬ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ସାନିଟାଇଜେସନ୍ ପାଇଁ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ ରଖାଯିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ରହିବ । ଅନ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ଧାଡ଼ି ତୁଳନାରେ ଏହି ବରିଷ୍ଠ ନାଗରିକଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରାଥମିକତା ମିଳିବ । ଏନେଇ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଗାଇଡଲାଇନ୍ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେବ । ଏସବୁ ବ୍ୟତୀତ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଶ୍ରଦ୍ଧାଳୁମାନେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେଉଥିବାରୁ ସେମାନଙ୍କ ନିମନ୍ତେ ପାନୀୟ ଜଳର ବନ୍ଦୋବସ୍ତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ଏସଓପିରେ ଉଲ୍ଲେଖ ରହିଛି ।