ବିବାହ କରିବାକୁ ଯାଉଛନ୍ତି ରଣବୀର-ଆଲିଆ

0
603

ମୁମ୍ବାଇ : ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ନେଇ ଚର୍ଚ୍ଚା ସରଗରମ ହୋଇ ଉଠିଛି । ଉଭୟ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଥିଲା । ଉଭୟ ଏନେଇ ଖୋଲାଖୋଲି ଭାବେ ସ୍ୱୀକାର କରିନଥିଲେ ମଧ୍ୟ ଅନେକ ଥର ପରୋକ୍ଷ ଭାବେ ଖୁଲାସା କରିଛନ୍ତି । ଅନେକ ଆୱାର୍ଡ ସୋ’ ଏବଂ ଟକ୍‌ ସୋ’ରେ ଆଲିୟା ଓ ରଣବୀର ପ୍ରେମ ସମ୍ପର୍କରେ ଥିବା ବାବଦରେ ଫ୍ୟାନ୍‌ଙ୍କୁ ଚର୍ଚ୍ଚାର ଖୋରାକ୍‌ ଯୋଗାଇଛନ୍ତି । ଏହି ଯୋଡ଼ି ଏବେ ପ୍ରେମ ସମ୍ପର୍କକୁ ବିବାହ ସମ୍ପର୍କର ରୂପ ଦେବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

ଉଭୟ ଆସନ୍ତା ଏପ୍ରିଲ କିମ୍ବା ମେ’ରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଅନେକ ରିପୋର୍ଟରେ ଦାବି କରାଯାଉଛି । ଇତିମଧ୍ୟରେ, ଆଲିୟା ଏବଂ ରଣବୀରଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଉଭୟ ନିଜର ବିବାହ ପାଇଁ ସପିଂ ଆରମ୍ଭ କରିଦେଇଥିବା ଏହି ଫଟୋକୁ ଦେଖିବା ପରେ ଫ୍ୟାନମାନେ ଅନୁମାନ କରୁଛନ୍ତି । ଖ୍ୟାତନାମା ଶାଢ଼ୀ ତଥା ବ୍ରାଇଡାଲ୍‌ କଷ୍ଟ୍ୟୁମ୍‌ ଡିଜାଇନର ବୀଣା କନ୍ନନଙ୍କୁ ଉଭୟ ଭେଟିଛନ୍ତି । ବୀଣା ନିଜର ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି । ବିବାହ ପାଇଁ ଶାଢ଼ୀ ଏବଂ ବ୍ରାଇଡାଲ କଷ୍ଟ୍ୟୁମ ଅର୍ଡର ଦେବାକୁ ସେମାନେ ବୀଣା କନ୍ନନଙ୍କ ସହ ସାକ୍ଷାତ କରିଥିବା କୁହାଯାଉଛି ।

ସୂଚନାଥାଉକି, ଆଲିୟା ଏବଂ ରଣବୀର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ନଜର ଆସିବେ । ଅୟାନ ମୁଖାର୍ଜୀ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି । ସେପ୍ଟେମ୍ବର ୯ରେ ଫିଲ୍ମ ରିଲିଜ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ଏହି ଫିଲ୍ମର ସୁଟିଂ ଜୋରଦାର ଚାଲିଛି । ଉଭୟ ଏକାସାଙ୍ଗରେ ଫିଲ୍ମ ସୁଟିଂରୁ କିଛିଦିନ ବିରତି ମାଗିଛନ୍ତି । ସେମାନେ ବିବାହ ପ୍ରସ୍ତୁତି ପାଇଁ ଏହି ବିରତି ନେଇଥିବା କୁହାଯାଉଛି । ନିକଟରେ ବାରଣାସୀରେ ଫିଲ୍ମର କେତେକ ସିନ୍‌ ପାଇଁ ସୁଟିଂ ଚାଲିଥିଲା । ଉଭୟ ଆଲିୟା ଏବଂ ରଣବୀର ବାରଣାସୀରୁ ସୁଟିଂ ସାରି ଏକାସାଙ୍ଗରେ ମୁମ୍ବାଇ ଫେରିଥିଲେ । ବାରଣାସୀରୁ ଫେରିବା ବେଳେ ଉଭୟ ଯେଉଁ ପୋଷାକ ପିନ୍ଧିଥିଲେ ଡିଜାଇନର ବୀଣା କନ୍ନନଙ୍କୁ ଭେଟିବା ସମୟରେ ମଧ୍ୟ ଉକ୍ତ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏଣୁ ବାରଣାସୀରୁ ଫେରିବା ମାତ୍ରେ ସେମାନେ ବୀଣା କନ୍ନନଙ୍କୁ ସାକ୍ଷାତ କରିଥିବା ଅନୁମାନ କରାଯାଉଛି ।

Also Read  ଖେଲୋ ଇଣ୍ଡିଆ ଗେମ୍‍ସ: ଭାରୋତ୍ତୋଳନରେ କିଟ ଛାତ୍ରୀ ସ୍ନେହାଙ୍କୁ ସ୍ୱର୍ଣ୍ଣ

LEAVE A REPLY

Please enter your comment!
Please enter your name here