ରାଜସ୍ଥାନ ଯୋଧପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଇଣ୍ଟରନେଟ୍ ସେବା ବନ୍ଦ

0
352
clashes-between-two-communities in-jodhpur internet-suspended

ଯୋଧପୁର: ଇଦ୍ ପୂର୍ବରୁ ରାଜସ୍ଥାନର ଯୋଧପୁରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଛି । ପରିସ୍ଥିତି ବିଗିଡିବାରୁ ପୋଲିସକୁ ଲାଠିମାଡ଼ କରିବାକୁ ପଡିଛି । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଯୋଧପୁରରେ ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ କରାଯାଇଛି। ଏ ବାବଦରେ ମଙ୍ଗଳବାର ଡିଭିଜନାଲ କମିଶନରଙ୍କ କାର୍ଯ୍ୟାଳୟରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁରୋଧ କ୍ରମେ ଯୋଧପୁର ଜିଲ୍ଲାରେ ସୋମବାର ରାତି ଗୋଟାଏରୁ ଇଣ୍ଟରନେଟ ବନ୍ଦ ରହିଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ |

ସୋମବାର ସନ୍ଧ୍ୟାରେ ଯୋଧପୁରର ଜାଲୋରୀ ଗେଟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ଖବର ମୁତାବକ, ସ୍ୱାଧୀନତା ସଂଗ୍ରାମୀ ବାଲ ମୁକୁନ୍ଦ ବିର୍ସାଙ୍କ ପ୍ରତିମୂର୍ତ୍ତିରେ ପତାକା ଲଗାଇବା ଏବଂ ଇଦ୍ ସମ୍ବନ୍ଧୀୟ ବ୍ୟାନରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସକୁ ଲାଠିମାଡ଼ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବେଳେ ଅନେକ ଗାଡ଼ି ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସମଗ୍ର ଯୋଧପୁର ଜିଲ୍ଲାରେ ଇଣ୍ଟରନେଟ ସେବା ସହ ସୋସିଆଲ୍ ମିଡିଆ ଉପରେ ସାମୟିକ କଟକଣା ଲଗାଯାଇଛି।

Also Read  ପରିବାର ଲୋକଙ୍କୁ ବନ୍ଧକ ରଖି ନିଜକୁ ଗୁଳି କଲେ ସିଆରପିଏଫ ଯବାନ