ଗଞ୍ଜାମ ଏସପି ଅଫିସ ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

0
1042
young-man-dies who attempted-suicide yesterday

ବ୍ରହ୍ମପୁର: ଗଞ୍ଜାମ ଏସ୍‌ପି ଅଫିସ୍ ସମ୍ମୁଖରେ ଗତକାଲି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିବା ଯୁବକଙ୍କର ମୃତ୍ୟୁ । ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ମୃତ ଯୁବକ ଗଞ୍ଜାମ ଥାନା ଅନ୍ତର୍ଗତ ହୁମା ଫାଣ୍ଡି ଅଧୀନ ବୋରିଗାଁର ବାଦଲ ସାହୁ।

ସୂଚନାନୁଯାୟୀ, ଶନିବାର ଅପରାହ୍ନ ସମୟରେ ରମ୍ଭା ବୋରି ଗାଁର ବାଦଲ ସାହୁ ଗଞ୍ଜାମ ଏସ୍‌ପିଙ୍କ ଅଫିସର ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଛତ୍ରପୁର ମେଡିକାଲ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ନିଆଯାଇଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଦଲଙ୍କର ମୃତ୍ୟୁ ହୋଇଛି ।

ତେବେ ୧୨ ବର୍ଷ ତଳେ ବାଦଲ ଓ ତାଙ୍କ ପରିବାର ଲୋକଙ୍କୁ ଏକଘରକିଆ କରାଯାଇଥିଲା । ଏନେଇ ବାରମ୍ବାର ହୁମା ଫାଣ୍ଡି ସହ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିବା ନେଇ କହିଛନ୍ତି ବାଦଲଙ୍କ ଭାଇ । ବାଦଲଙ୍କ ନାଁରେ ପୂର୍ବରୁ ରମ୍ଭା ଥାନାରେ ମାମଲା ରହିଛି । ଆତ୍ମହୂତି ଉଦ୍ୟମର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଥିବା କହିଛନ୍ତି ଗଞ୍ଜାମ ଏସ୍‌ପି ।

Also Read  ରାଜ୍ୟରେ ଡେଲଟା ପାଇଁ ବଢ଼ୁଛି ମୃତ୍ୟୁ