କାଠମାଣ୍ଡୁ: ନେପାଳର ନିଖୋଜ ଯାତ୍ରୀବାହୀ ବିମାନର ଭଗ୍ନାବଶେଷ ମିଳିଛି । ନେପାଳ ସେନାର ସୂଚନା ଅନୁଯାୟୀ ହିମାଳୟର ମାନାପାଥିରେ ବିମାନର ଭଗ୍ନାବଶେଷ ଠାବ କରାଯାଇଛି। ବିମାନରେ ୪ ଭାରତୀୟଙ୍କ ସହ ୨୨ ଜଣ ଯାତ୍ରୀ ଥିଲେ । ଯାତ୍ରୀଙ୍କ ମୃତାହତ ସମ୍ପର୍କରେ କୌଣସି ସୂଚନା ନାହିଁ । ସେନା ଅଧିକାରୀମାନେ ଦୂରରୁ ଧୂଆଁ ଉଠୁଥିବା ଦେଖି ବିମାନଟି ଠାବ କରିଥିଲେ। ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟସାଧ୍ୟ ହୋଇଛି।
ବିମାନର ଧ୍ବଂସାବଶେଷ କୋଓ୍ବାଙ୍ଗରେ ସନ୍ଧାନ ମିଳିଥିବା କୁହାଯାଇଛି । ବିମାନରେ ୨୨ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଭୁବନେଶ୍ବରର ଅଶୋକ ତ୍ରିପାଠୀ ଏବଂ ତାଙ୍କ ପରିବାର ଥିବା କୁହାଯାଇଛି । ଭୁବନେଶ୍ବର ଜୟଦେବ ବିହାର ଅନ୍ତର୍ଗତ ଗଙ୍ଗାଧର ନଗର ନିବାସୀ ଅଶୋକଙ୍କ କେୟାର ଟେକର କହିଛନ୍ତି ଅଶୋକ ଗତ ୨୬ ତାରିଖରେ ପତ୍ନୀଙ୍କୁ ସାକ୍ଷାତ କରିବା ଲାଗି ମୁମ୍ବାଇ ଯାଇଥିଲେ । ନେପାଳର ତାରା ଏୟାରର ଏକ ଡବଲ୍ ଇଞ୍ଜିନ୍ ଯାତ୍ରୀବାହୀ ବିମାନ ଆଜି ସକାଳ ୯:୫୫ ରେ ପୋଖରାରୁ ଜୋମସୋମ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

























