ପଞ୍ଜାବୀ ଗାୟକ ମୁସେୱାଲାଙ୍କୁ ମାଡ଼ ହୋଇଛି ଦୁଇ ଡଜନେରୁ ଅଧିକ ଗୁଳି, ବ୍ୟବଚ୍ଛେଦ ରିପୋର୍ଟରେ ଖୁଲାସା

0
373
sidhu-moose-wala-postmortem-report over-two-dozen-bullets-pumped

ନୂଆଦିଲ୍ଲୀ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ପୋଷ୍ଟମର୍ଟମ ଶେଷ ହୋଇଛି। ସୋମବାର ରାତିରେ ପାଞ୍ଚଜଣ ଡାକ୍ତରଙ୍କ ଏକ ପ୍ୟାନେଲ ମୁସେୱାଲାଙ୍କ ଶବ ବ୍ୟବଚ୍ଛେଦ କରିଥିଲେ। ତେବେ ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ। କିନ୍ତୁ ସୂତ୍ରରୁ ଜଣାପଡିଛି ଯେ ଅତ୍ୟାଧୁନିକ ବନ୍ଧୁକରୁ ମୁସେୱାଲାଙ୍କୁ ଗୁଳି କରାଯାଇଥିଲା । ପ୍ରାୟ ୨୪ ଟି ଗୁଳି ମୁସେୱାଲାଙ୍କ ଦେହ ଦେଇ ଯାଇଥିବା ବେଳେ ଗୋଟିଏ ମୁଣ୍ଡ ହାଡରେ ଲାଗିଛି। ମୁସେଓ୍ବାଲାଙ୍କ ଉପରକୁ ଦୁର୍ବୃତ୍ତମାନେ ପ୍ରାୟ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ। ସେପଟେ ଆଜି ମୁସେଓ୍ବାଲାଙ୍କ ଅନ୍ତିମ ସଂସ୍କାର କରାଯିବ।

ମାନସା ଜିଲ୍ଲା ଡାକ୍ତରଖାନାର ସୂତ୍ରରୁ ପ୍ରକାଶ ଯେ ପୋଷ୍ଟମର୍ଟମ ସମୟରେ ମୁସେୱାଲାଙ୍କ ଦେହରେ ଦୁଇ ଡଜନେ ଗୁଳି କ୍ଷତ ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଷ୍ଟମର୍ଟମ ପରେ ଭିସେରା ନମୁନାକୁ ସୁରକ୍ଷିତ ରଖାଯାଇଛି ଏବଂ ଅଧିକ ଯାଞ୍ଚ୍ ପାଇଁ ଏହାକୁ ପଠାଯାଉଛି | ତେବେ ଡାକ୍ତରଖାନା ପୋଷ୍ଟମର୍ଟମ ରିପୋର୍ଟକୁ ପୋଲିସ ସହ ସେୟାର କରିନାହିଁ।

ମୃତ ସିଦ୍ଧୁ ମୁସେୱାଲାଙ୍କ ପରିବାର ପୋଷ୍ଟମର୍ଟମ ନକରିବାକୁ ଜିଦ୍ ଧରିଥିଲେ। ହାଇକୋର୍ଟର ଜଣେ ବିଚାରପତିଙ୍କ ନେତୃତ୍ୱରେ ଏହି ହତ୍ୟାକାଣ୍ଡର ତଦନ୍ତ କରାଯାଉ ଏବଂ ଏଥିପାଇଁ ଏନଆଇଏ-ସିବିଆଇର ସହାୟତା ନିଆଯାଉ ବୋଲି ପରିବାର ଲୋକେ ଦାବି କରିଥିଲେ।

ମୁସୱାଲା ହତ୍ୟାକାଣ୍ଡର ତଦନ୍ତ ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ତ୍ଵାବଧାନରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଏକ ବିଚାର ବିଭାଗୀୟ କମିଶନ ଗଠନ କରିବାକୁ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାରୀ ପୋଲିସ ଅଧିକାରୀ କହିଛନ୍ତି ଯେ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ।

ରବିବାର ପଞ୍ଜାବର ମାନସା ଜିଲ୍ଲାରେ ୨୮ ବର୍ଷୀୟ ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ଅଜଣା ଆତତାୟୀ ଗୁଳି କରି ହତ୍ୟା କରିଥିଲେ। ହତ୍ୟାକାଣ୍ଡର ଦିନକ ପୂର୍ବରୁ ଭଗଓ୍ବନ୍ତ ମାନ ସରକାର ମୋସେୱାଲାଙ୍କ ସୁରକ୍ଷା ହଟାଇ ଦେଇଥିଲେ ।

Also Read  Kartarpur Sahib Corridor Reopens for Pilgrims; All Welcome Centre's Decision