କେସିଆର ଏବଂ ଓଓ୍ୱେସୀଙ୍କ ଗଡରେ ବିଜେପି କରିବ ବଡ ବୈଠକ, ଯୋଗ ଦେବେ ମୋଦୀ

0
468

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ 2 ଓ 3 ତାରିଖରେ ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ ବସିବ। ଦିଲ୍ଲୀ ବାହାରେ ବିଜେପିର ଏହା ହେଉଛି ପ୍ରଥମ ବଡ଼ ବୈଠକ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେତ ବଡ ନେତା ଓ ସଂଗଠନରେ ଥିବା ଦଳର ସମସ୍ତ ପ୍ରମୁଖ ନେତା ଯୋଗଦେବେ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି।

ତେଲେଙ୍ଗାନାରେ ହେବାକୁ ଥିବା ଏହି ବୈଠକ ବିଜେପିର ଆଗାମୀ ରଣନୀତିର ଏକ ଅଂଶବିଶେଷ ବୋଲି କୁହାଯାଉଛି। ଏବେ ବିଜେପିର ଫୋକସରେ ରହିଛି ତେଲେଙ୍ଗାନା। ଗତ ଲୋକସଭା ନିର୍ବାଚନରେ ବିଜେପି କିଛି ଉପ-ନିର୍ବାଚନ ସହ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ୍ ନିର୍ବାଚନ ଜିତିଥିଲା।

କର୍ଣ୍ଣାଟକ ପରେ ଏବେ ଦକ୍ଷିଣ ଭାରତରେ ତେଲେଙ୍ଗାନାକୁ ଟାର୍ଗେଟ୍ କରି ଦଳ କାମ କରୁଛି। ସେଥିପାଇଁ ତେଲେଙ୍ଗାନାର ପୂର୍ବତନ ରାଜ୍ୟ ସଭାପତି ତଥା ଜାତୀୟ ଓବିସି ମୋର୍ଚ୍ଚାର ଅଧ୍ୟକ୍ଷ କେ. ଲକ୍ଷ୍ମଣଙ୍କୁ ମଧ୍ୟ ରାଜ୍ୟସଭାକୁ ଆଣିବାକୁ ନିଷ୍ପତ୍ତି ନେଇଛି, ଯାହାଦ୍ୱାରା ତେଲେଙ୍ଗାନାରେ ଦଳ ଅଧିକ ଜୋରସୋରରେ କାମ କରିପାରିବ।

ଚଳିତ ବର୍ଷ ଶେଷ ଆଡ଼କୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେଥିପାଇଁ ରାଜ୍ୟରେ ଦଳୀୟ ବାତାବରଣ ସୃଷ୍ଟି କରିବା ପାଇଁ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ପାଇଁ ହାଇଦ୍ରାବାଦକୁ ବାଛିଛି ବୋଲି କୁହାଯାଉଛି । ଏହି ରାଜ୍ୟରେ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି ଏବଂ ଏଆଇଏମଆଇଏମ ଦର ଦବଦବା ରହିଛି। ଯାହାର ନେତୃତ୍ୱ ନେଉଛନ୍ତି ମୁଖ୍ୟମନ୍ତ୍ରୀ କେସିଆର ଏବଂ ହାଇଦ୍ରାବାଦର ସାଂସଦ ଅସଦୁଦ୍ଧିନ ଓଓ୍ୱେସୀ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ, ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦଳର ଭବିଷ୍ୟତ ନିର୍ବାଚନ ପ୍ରସ୍ତୁତି ଓ ସାଙ୍ଗଠନିକ କାମର ରୂପରେଖ ମଧ୍ୟ ପ୍ରସ୍ତୁତ କରାଯିବ। ନିକଟରେ ଜୟପୁରରେ ଅନୁଷ୍ଠିତ ଜାତୀୟ ପଦାଧିକାରୀ ବୈଠକରେ ଆଗାମୀ ଦୁଇ ବର୍ଷ ମଧ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା। ଏବେ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହାକୁ ସଂପ୍ରସାରଣ କରାଯିବ। ଯେହେତୁ ଏହି ବୈଠକରେ ଦଳର ପୂରା କେନ୍ଦ୍ରୀୟ ନେତୃତ୍ୱ ଏବଂ ରାଜ୍ୟଗୁଡ଼ିକର ଶୀର୍ଷ ନେତୃତ୍ୱ ଯୋଗ ଦେଉଛନ୍ତି, ତେଣୁ ଏହାର ସମୀକ୍ଷା କରିବା ସହ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ସୂଚନା ରହିଛି।

Also Read  ଅଭିନେତ୍ରୀ କଙ୍ଗନା ଙ୍କ କାରକୁ ଘେରିଯାଇ କ୍ଷମା ମାଗିବାକୁ କହିଲେ ଜନତା: ପଢନ୍ତୁ ସମ୍ପୂର୍ଣ ଘଟଣା